ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ ଥିବା ବେଳେ ସେମାନଙ୍କ ସମ୍ପର୍କରେ ଜଣାଇବାକୁ ନୂଆଦିଲ୍ଲୀ ମସ୍କୋକୁ ଅନୁରୋଧ କରିଛି। ଭାରତ-ରୁଷିଆ ପରାମର୍ଶ କମିଟି ବୈଠକରୁ ଏହା ଜଣାପଡ଼ିଛି।
ସମସ୍ତ ଭାରତୀୟଙ୍କୁ ମୁକ୍ତ କରିବା ପାଇଁ ନୂଆଦିଲ୍ଲୀ ରୁଷିଆ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଥିଲା। ଭାରତୀୟ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା ଅସାଧୁ ଏଜେଣ୍ଟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବୈଠକରୁ ମିଳିଥିବା ସୂଚନାରେ କୁହାଯାଇଛି।
ଗତ ମାସରେ ଭାରତର ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଶେୟାର କରିଥିବା ତଥ୍ୟ ଅନୁଯାୟୀ, ରୁଷିଆ ସଶସ୍ତ୍ର ସେନାରେ ମୋଟ ୨୨୭ଜଣ ଭାରତୀୟ ନିଯୁକ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୩୯ଜଣଙ୍କୁ ମୁକ୍ତ କରାଯାଇଥିବା ବେଳେ ୫୧ ଜଣଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ତରରେ ରୁଷିଆ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଯାଇଥିବା ମିସ୍ର ପ୍ରକାଶ କରିଛନ୍ତି।