୫୫ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗାଁ,୬।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଅଧୀନ ହାଟବରଡ଼ି ମୌଜାର ନିମୁନା ଠାରୁ ହାଟବରଡ଼ି ମଧ୍ୟରେ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଥିବା ୫୫ ଏକର ପରିବ୍ୟାପ୍ତ ୧୦ଟି ବେଆଇନ୍‌ ଚିଙ୍ଗୁଡ଼ି ଘେରିକୁ ଶନିବାର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉପଜିଲାପାଳ ଅଶୋକ କୁମାର ବେହୁରିଆଙ୍କ ତତ୍ତ୍ୱାବଧାନରେ ଚିଲିକା ତହସିଲଦାର ପୁନମ୍‌ ମହାପାତ୍ର, ବାଲୁଗଁା ଏସ୍‌ଡିିପିଓ ମାନସ ରଞ୍ଜନ ବାରିକ, ଟାଙ୍ଗୀ ଥାନାଧିକାରୀ ବିଜୟ କୁମାର ମଲ୍ଲିକ, ସିଡିଏ ଏବଂ ମତ୍ସ୍ୟ ବିଭାଗ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତିରେ ହାଟବରଡ଼ିଠାରୁ ନିମନା ପର୍ଯ୍ୟନ୍ତ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଉଚ୍ଛେଦରେ ୩ଟି ବୋଟ୍‌ ସମେତ ୨୫ରୁ ଊର୍ଦ୍ଧ୍ୱ ଶ୍ରମିକ ସାମିଲ ହୋଇଥିଲେ। ଘେରିରୁ ଜବତ ଜାଲ ଓ ବାଉଁଶଗୁଡ଼ିକ ଓଦା ଥିବାରୁ ଶୁଖାଯାଇ ଦିନେ ଦୁଇଦିନ ମଧ୍ୟରେ ପୋଡ଼ି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିବ ବୋଲି ତହସିଲଦାର ମହାପାତ୍ର କହିଛନ୍ତି । ସୂଚନାଥାଉ କି, ସମଗ୍ର ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ମୁଣ୍ଡ ଟେକିଛି। ଫଳରେ ମତ୍ସ୍ୟଜୀବୀ ଚିଲିକା ମଧ୍ୟକୁ ପ୍ରବେଶ କରିବାରେ ବାଧା ଉପୁଜିବା ସହ ମାଛ ମାରି ନ ପାରି ନିଜର କୁଳବେଉସା ହରାଉଛନ୍ତି। ଏହାର ସ୍ଥାୟୀ ନିରାକରଣ ପାଇଁ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଅଭିଯୋଗ ହୋଇଆସୁଅଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁନର୍ବାର ଉକ୍ତ ସ୍ଥାନରେ ଘେରି ମୁଣ୍ଡ ଟେକୁଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପାଇଁ ବିଭିନ୍ନ ମତ୍ସ୍ୟଜୀବୀ ସଙ୍ଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଆଗତ ହୋଇଥିଲା। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲାପାଳ ସନତ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟାୟକ୍ରମେ ଚିଲିକାରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।