ସିବିଆଇ ଜାଲରେ ଜିଏସ୍‌ଟି, ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ ଅଧିକାରୀ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଏକ ଘରୋଇ ଶିକ୍ଷାନୁଷ୍ଠାନର ଜିଏସ୍‌ଟି ମାମଲା ସମାଧାନ ନିମନ୍ତେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ ଉକ୍ତ ଶିକ୍ଷାନୁଷ୍ଠାନର ଜଣେ କର୍ମଚାରୀ ସିବିଆଇ ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଏକ୍ସସାଇଜ୍‌ ସୁପରିଣ୍ଟେଣ୍ଡଣ୍ଟ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ, ଏନ୍‌.ଏନ୍‌ ସାହୁ ଏବଂ ଲାଞ୍ଚ ଦେଉଥିବା ଶିକ୍ଷାନୁଷ୍ଠାନର କର୍ମଚାରୀ। ଏନେଇ ସିବିଆଇ, ଏସିବି ଭୁବନେଶ୍ୱର ଏକ ମାମଲା(ନଂ. ୧୦(କ)/୨୦୨୦) ମାମଲା ରୁଜୁ କରିଛି। ଗିରଫ ଅଭିଯୁକ୍ତଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇ ଅଧିକ ଖୋଳତାଡ଼ କରାଯାଉଛି।
ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଘରୋଇ କଲେଜ ନାଁରେ ଥିବା ଜିଏସ୍‌ଟି ସମ୍ପର୍କିତ ମାମଲାର ସମାଧାନ ନିମନ୍ତେ ଭୁବନେଶ୍ୱର ସର୍କଲ ଜିଏସ୍‌ଟି ଏବଂ ସେଣ୍ଟ୍ରାଲର ୩ ସୁପରିଣ୍ଟେଣ୍ଡେଣ୍ଟ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଦାବି ମୁତାବକ ଟଙ୍କା ଦେଲେ ସମସ୍ତ ମାମଲାର ସମାଧାନ କରିଦେବା ପାଇଁ ଉକ୍ତ ଅଧିକାରୀମାନେ କହିଥିଲେ। ଏଥିପାଇଁ ମଙ୍ଗଳବାର ଭୁବନେଶ୍ୱର ରାମମନ୍ଦିର ନିକଟସ୍ଥ ହୋଟେଲ ନ୍ୟୁ ମାରିଅନ୍‌ରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଜିଏସ୍‌ଟି ଅଫିସରମାନେ ପ୍ରଥମେ ସେଠାରେ ପହଞ୍ଚତ୍ଥିଲେ। ପରେ ସେଠାରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଟଙ୍କା ନେଇ ପହଞ୍ଚତ୍ଥିଲେ। ଏହି ଟଙ୍କା କାରବାର ସମ୍ପର୍କରେ ସିବିଆଇ ଅଧିକାରୀମାନେ ବିଶେଷ ସୂତ୍ରରୁ ଖବର ପାଇ ଏକ ଟିମ୍‌ ପୂର୍ବରୁ ଉକ୍ତ ହୋଟେଲରେ ନିକଟରେ ଉପସ୍ଥିତ ଥିଲେ। ଟଙ୍କା କାରବାର ସମୟରେ ସିବିଆଇ ଅଫିସରମାନେ ୩ଜଣ ଜିଏସ୍‌ଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କୁ କାବୁ କରିଥିଲେ। ଏହାପରେ ସେମାନଙ୍କୁ ଗିରଫ କରି ସିବିଆଇ କାର୍ଯ୍ୟାଳୟକୁ ନେଇଯାଇଥିଲେ। ସିବିଆଇ ସେଠାରେ ସମସ୍ତ ଅଭିଯୁକ୍ତଙ୍କୁ ଜେରା କରୁଛି।