Categories: ଜାତୀୟ

ବିଚାରପତିଙ୍କୁ ହତ୍ୟା ମାମଲାରେ ୫୩ ହୋଟେଲରେ ଚଢ଼ାଉ, ୧୭ ଗିରଫ…

ରାଞ୍ଚି,୨।୮: ଝାଡ଼ଖଣ୍ଡର ଧାନବାଦରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ଏସ୍‌ଆଇଟି ଟିମ୍‌ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଇତିମଧ୍ୟରେ ୫୩ ହୋଟେଲରେ ଚଢ଼ାଉ କରାଯିବା ସହିତ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏସ୍‌ଆଇଟି ୧୪୩ ଲୋକଙ୍କ ଏନେଇ ପଚରାଉଚରା କରିଛି। ଏହି ମାମଲାରେ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ସଞ୍ଜୀବ କୁମାର ସ୍ଥାନୀୟ ପଥରଡ଼ିହ ପୋଲିସ ଷ୍ଟେସନର ଅଧିକାରୀ ଉମେଶ ମାଝିଂଙ୍କୁ ନିଲମ୍ବିତ କରିଛନ୍ତି। ଉତ୍ତମ ଆନନ୍ଦଙ୍କ ହତ୍ୟା ପରେ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଉମେଶଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ ଗିରଫ ଅଟୋ ଡ୍ରାଇଭର ଲଖନ ବର୍ମା ଏବଂ ତାଙ୍କ ସହଯୋଗୀ ରାହୁଲ ବର୍ମାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇଛି। ଜୁଲାଇ ୨୮ରେ ଅଟୋ ରିକ୍ସା ଉତ୍ତମଙ୍କୁ ମର୍ନିଂ ଓ୍ବାର୍କ ସମୟରେ ଧକ୍କା ଦେଇଥିଲା।
ଧାନବାଦ ଏସ୍‌ଏସ୍‌ପି ସଞ୍ଜୀବ କୁମାର କହିଛନ୍ତି ଯେ, ପୋଲିସ ପକ୍ଷରୁ ତଦନ୍ତ କରାଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ ପ୍ରସାରଣ ଅଭିଯୋଗରେ ଜଣେ ସବ-ଇନ୍ସପେକ୍ଟରଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Share