Categories: ଜାତୀୟ

ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇର ‘ସ୍ପେଶାଲ ୫୩’ ଟିମ, ୨୯ ମହିଳା ଅଧିକାରୀ ସାମିଲ

ନୂଆଦିଲ୍ଲୀ,୧୭।୮: ମଣିପୁରରେ ହୋଇଥିବା ଜାତୀୟ ହିଂସାର ଯାଞ୍ଚ ପାଇଁ ବୁଧବାର ବିଭିନ୍ନ ର଼୍ୟାଙ୍କର ୨୯ ମହିଳା ଅଧିକାରୀ ସମେତ ୫୩ ଅଧିକାରୀଙ୍କ ସୂଚି ଜାରି କରାଯାଇଛି। ସିବିଆଇ ଯାଞ୍ଚରେ ଆସୁଥିବା ପ୍ରାଥମିକ ମାମଲାରେ ୨ ମହିଳା ଡିଆଇଜି ର଼୍ୟାଙ୍କର ଅଧିକାରୀଙ୍କ ସମେତ ୨୯ ମହିଳାଙ୍କୁ ସାମିଲ କରାଯାଇଛି।
ରାଜ୍ୟରେ ହୋଇଥିବା ହିଂସା ଓ ମହିଳାଙ୍କ ସହ ହୋଇଥିବା ଅତ୍ୟାଚାରକୁ ନେଇ ଅନେକ ଏଫଆଇଆର ଦିଆଯାଇଛି। ଏଥିରୁ ୧୧ ମାମଲାର ଯାଞ୍ଚ ସିବିଆଇକୁ ଦିଆଯାଇଛି।
ଏହି ଘଟଣାରେ ଦୁଇଜଣ ମହିଳା ଅତିରିକ୍ତ ପୋଲିସ ଅଧୀକ୍ଷକ ଏବଂ ୬ଜଣ ମହିଳା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଯାଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାମଧ୍ୟ ସ୍ପଷ୍ଟ ଯେ ଡେପୁଟି ପୋଲିସ ଅଧୀକ୍ଷକ ଏଭଳି ଘଟଣାରେ ପର୍ଯ୍ୟବେକ୍ଷକ ଅଧିକାରୀ ହୋଇପାରିବେ ନାହିଁ, ତେଣୁ ତଦନ୍ତର ତଦାରଖ ତଥା ପର୍ଯ୍ୟବେକ୍ଷକ ପାଇଁ ଏଜେନ୍ସି ୩ ଡିଆଇଜି ଏବଂ ଜଣେ ଏସପି ପଠାଇଛନ୍ତି। ଏହା ବ୍ୟତୀତ ୧୬ ଇନ୍ସପେକ୍ଟର ଏବଂ ୧୦ ସବ-ଇନ୍ସପେକ୍ଟର ମଧ୍ୟ ଏହି ଯାଞ୍ଚରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ମଣିପୁର ହିଂସା ସହ ଜଡିତ ଆଉ ୯ଟି ମାମଲାର ତଦନ୍ତ ସିବିଆଇ କରିବାକୁ ଯାଉଛି। ଏହାପୂର୍ବରୁ ସିବିଆଇ ଆଠଟି ମାମଲାର ଯାଞ୍ଚ କରୁଥିଲା, ଅର୍ଥାତ୍‌ ବର୍ତ୍ତମାନ ମୋଟ ୧୭ଟି ମାମଲା ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଛି। ହିଂସା ବ୍ୟତୀତ ଏହି ଯାଞ୍ଚରେ ଯୌନ ଉତ୍ପୀଡ଼ନ ମାମଲା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

Share