୫୨କେଜି ନକଲି କୀଟନାଶକ ଔଷଧ ଜବତ

କେସିଙ୍ଗା,୧୭।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ଶ୍ରୀହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନୀ ଉପରେ କୃଷି ବିଭାଗ ପକ୍ଷରୁ ଚଢାଉ କରାଯାଇ ନକଲି କୀଟନାଶକ ଔଷଧ ଜବତ କରାଯାଇଛି। ଟିଟିଲାଗଡ ବ୍ଲକର ଶାଗଣାମୁଣ୍ଡା ଗ୍ରାମର ପ୍ରଶାନ୍ତ ନନ୍ଦ ନାମକ ଜଣେ ଚାଷୀ ଗତ କିଛି ଦିନ ତଳେ ହରିଓମ ସିଡ୍ସ ଓ ଫର୍ଟିଲାଇଜର ଦୋକାନରୁ ଫଟେରା ନାମକ କୀଟନାଶକ ଔଷଧ କିଣିଥିଲେ। କିନ୍ତୁ ଏହି ଔଷଧର ମାନ ଠିକ ନ ଥିବାରୁ କେସିଙ୍ଗା କୃଷି ବିଭାଗରେ ଅଭିଯୋଗ କରିଥିଲେ। କୃଷି ବିଭାଗ ଏହି କୀଟନାଶକ ପ୍ରସ୍ତୁତ କରିଥିବା କମ୍ପାନୀକୁ ଜଣାଇଥିଲେ। ଉକ୍ତ କମ୍ପାନୀ ସମସ୍ତ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଏହା ନକଲି ଥିବା ଜାଣି ଉକ୍ତ ଦୋକାନରେ କେସିଙ୍ଗା ବ୍ଲକ କୃଷି ଅଧିକାରୀ ଘନଶ୍ୟାମ ଦେହୁରୀ, ସହକାରୀ କୃଷି ଅଧିକାରୀ ବିଶ୍ୱନାଥ ମହାପାତ୍ରଙ୍କ ସହିତ ଉକ୍ତ କମ୍ପାନୀର କର୍ମଚାରୀ ଚଢାଉ କରି ୫୨ କେଜି ଫଟେରା କୀଟନାଶକ ଔଷଧ ଜବତ କରିଥିଲେ। ଉକ୍ତ କୀଟନାଶକ ଔଷଧରେ ବାରକୋଡ଼ ନ ଥିବା ବେଳେ ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। କୃଷି ଅଧିକାରୀ ଘନଶ୍ୟାମ ଦେହୁରୀଙ୍କୁ ପଚାରିବାରୁ ନକଲି କୀଟନାଶକ ଔଷଧ ବୋଲି କହିଥିଲେ।