୫୨ ତିମି ମୃତ

ଜାକର୍ତ୍ତା, ୨୧ା୨: ଇଣ୍ଡୋନେସିଆ ସମୁଦ୍ର କୂଳରୁ ୫୨ ତିମିର ମୃତଦେହ ମିଳିଛି। ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦିଆଯାଇଛି। ଗୁରୁବାର ଇଣ୍ଡୋନେସିଆର ଇଷ୍ଟ ଜାଭା ପ୍ରାନ୍ତ ମଦୁରା ଆଇଲାଣ୍ଡରେ ଫିନ୍‌ଡ ପାଇଲଟ୍‌ ଶ୍ରେଣୀର ତିମିଗୁଡ଼ିକ ସମୁଦ୍ର କୂଳକୁ ଆସିଥିବାବେଳେ ଫସିଯାଇଥିଲେ। ପରେ ସେଠାରେ ତିମି ଉଦ୍ଧାରକାରୀ ଦଳ, ସ୍ବେଚ୍ଛାସେବୀମାନେ ପହଞ୍ଚି ସେଗୁଡ଼ିକୁ ସମୁଦ୍ର ମଧ୍ୟକୁ ପଠାଇବାକୁ ପ୍ରୟାସ କରିଥିଲେ। ହେଲେ ମାତ୍ର ୩ଟି ତିମି ହିଁ ଜୀବନ୍ତ ପାଣି ମଧ୍ୟକୁ ଯାଇପାରିଥିଲେ। ସମୁଦ୍ର କୂଳକୁ କିପରି ତିମିଗୁଡ଼ିକ ଆସିଲେ ଏବଂ ସେଗୁଡ଼ିକର ମୃତ୍ୟୁର କାରଣ କ’ଣ ତାହା ଜଣାପଡିନାହିଁ। ଏକ ଗ୍ରୁପ୍‌ ତିମି ମଧ୍ୟରୁ ଗୋଟିଏ ଅସୁସ୍ଥ କିମ୍ବା ଆହତ ଥିବାରୁ ଅନ୍ୟ ତିମିଗୁଡ଼ିକ ଏହାକୁ ଜଗିବାକୁ ପଛେ ପଛେ ଆସିଥାଇପାରନ୍ତି ବୋଲି ବିଭାଗୀୟ ମନ୍ତ୍ରଣାଳୟର ମୁଖପାତ୍ର ଓ୍ବାହ୍ୟୁ ମୁରୟାଦି କହିଛନ୍ତି। ମୃତ ତିମିର ନମୁନା ସଂଗ୍ରହ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ସ୍ଥାନୀୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

Share