Categories: ଜାତୀୟ

ତଥାପି ଯୋଗୀଙ୍କ ସପକ୍ଷରେ ୫୨ ପ୍ରତିଶତ ମତ

ନୂଆଦିଲ୍ଲୀ,୯।୭: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହେବେ ବୋଲି ଦର୍ଶାଇଛି ଆଇଏଏନ୍‌ଏସ-ସିଭୋଟର ସର୍ଭେ। ଏହି ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଉତ୍ତରଦାତାଙ୍କ ଅନୁଯାୟୀ, ଯୋଗୀ ନିର୍ବାଚନରେ ବିଜୟୀ ହେବେ। ଅନ୍ୟପକ୍ଷରେ ୩୭ ପ୍ରତିଶତ ଉତ୍ତରଦାତାଙ୍କ ମତରେ ଯୋଗୀ ଆଉ କ୍ଷମତାକୁ ଫେରିପାରିବେ ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ୨୦୧୭ରେ ବିଧାନସଭା ନିର୍ବାଚନ ଜିତିବା ପରେ ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗାଦିରେ ବସାଇଥିଲା। ଭାଜପାର ସର୍ବାଧିକ ୩୧୨ ବିଧାୟକ ଜିତିଥିଲେ। ସପା ଓ ବିଏସ୍‌ପି ଭାଗରେ ଯଥାକ୍ରମେ ୪୭ ଓ ୧୯ ଆସନ ପଡ଼ିଥିଲା। ମାତ୍ର ୭ଟି ଆସନରେ ସୀମିତ ରହିଥିଲା କଂଗ୍ରେସ। ଏହି ରାଜ୍ୟରେ ବିମାନସଭା ନିର୍ବାଚନ ସମ୍ଭବତଃ ୨୦୨୨ ଫେବୃୟାରୀରେ ହେବାର ଅଛି। ଯୋଗୀଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବ ମାର୍ଚ୍ଚ ୧୪ରେ।

କରୋନା ମହାମାରୀର ଦ୍ୱିତୀୟ ଲହରବେଳେ ସାମ୍ନାକୁ ଆସିଥିଲା ୟୁପିରେ ଯୋଗୀଙ୍କ ଶାସନ ବ୍ୟବସ୍ଥା। ମୁଖ୍ୟତଃ ଗଙ୍ଗା ନଦୀରେ ଭାସୁଥିବା ଓ ବିଭିନ୍ନ ସ୍ଥାନରେ ପୋତା ଯାଇଥିବା କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ମିଳିବା ପରେ ରାଜ୍ୟ ସରକାରଙ୍କୁ ବେଶ୍‌ ସମାଲୋଚିତ ହେବାକୁ ପଡ଼ିଥିଲା। ଏହାସତ୍ତ୍ୱେ ୧୨୦୦ ଲୋକଙ୍କୁ ନେଇ ଆଇଏଏନ୍‌ଏସ-ସିଭୋଟର ପକ୍ଷରୁ କରାଯାଇଥିବା ସର୍ଭେରେ ଯୋଗୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆକଳନ କରାଯାଇଛି।

 

Share