Categories: ଜାତୀୟ

ଦ୍ୱାଦଶ ପରୀକ୍ଷା ଦେଲେ ୫୧ବର୍ଷୀୟ ଭାଜପା ନେତା

ବରେଲି,୨୭।୨: ଚଳିତ ବର୍ଷର ଉତ୍ତରପ୍ରଦେଶ ବୋର୍ଡ ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୬ତାରିଖରୁ ଆରମ୍ଭ ହୋଇଛି। ଏଭଳିସ୍ଥିତିରେ ବରେଲିର ଏକ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ୫୧ବର୍ଷୀୟ ବିଥ୍ରି-ଚେନପୁର ବିଧାନସଭାର ପୂର୍ବତନ ବିଧାୟକ ରାଜେଶ ମିଶ୍ରା ଏକ ପ୍ୟାଡ, ହାତରେ ଲାମିନେଟ୍‌ ଆଡ୍‌ମିଟ କାର୍ଡ ଏବଂ ପାଣି ବୋତଲ ଧରି ପରୀକ୍ଷା କେନ୍ଦ୍ର ବାହାରେ ଅପେକ୍ଷା କରିଥିଲେ। ଏପରିକି ପରବର୍ତ୍ତି ସମୟରେ ସେ ଛାତ୍ରୀଛାତ୍ରଙ୍କ ସହ ମିଶି ପରୀକ୍ଷା ଦେଇଛନ୍ତି। ପ୍ରଥମେ ଛାତ୍ରୀଛାତ୍ର ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ପରବର୍ତ୍ତୀ ସମୟରେ ଜଣେ ନେତାଙ୍କ ସହ ବସି ପରୀକ୍ଷା ଦେଉଥିବାରୁ ଛାତ୍ରୀଛାତ୍ରମାନେ ଖୁସି ବ୍ୟକ୍ତ କରିଛନ୍ତି।

୨୦୧୭ ବିଧାନସଭା ନିର୍ବାଚନରେ ମିଶ୍ରା ଭାଜପାରୁ ଟିକେଟ ପାଇ ବରେଲିର ବିଥ୍ରି-ଚେନପୁର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ହେଲେ ଗତ ବର୍ଷ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ ମିଳି ନ ଥିଲା। ଜନପ୍ରତିନିଧୀ ଭାବେ ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟ ସତ୍ତ୍ୱେ ସେ ତାଙ୍କ ଶିକ୍ଷା ଜାରି ରଖିବାକୁ ସ୍ଥିର କରିଥିଲେ। ରାଜେଶ ଉକ୍ତ ଅଞ୍ଚଳରେ ପପୁ ଭରତୋଲ ନାମରେ ମଧ୍ୟ ବେଶ୍‌ ଜଣାଶୁଣା। ଜଣେ ସାଧାରଣ ପ୍ରତିନିଧୀ ଭାବେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ଓକିଲ ହେବାକୁ ଚାହୁଁଛନ୍ତି ବୋଲି ଭାଜପା ନେତା ରାଜେଶ କହିଛନ୍ତି। ଏଥିସହ ସେ କହିଛନ୍ତି, ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହେବେ ଏବଂ ରାଜନୀତିରେ ସକ୍ରିୟ ଯୋଗଦାନ ସହିତ ଅଧ୍ୟୟନ ମଧ୍ୟ ଜାରି ରଖିବେ।

Share