୪ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୦୨ କୋଟି ମଞ୍ଜୁର

ଢେଙ୍କାନାଳ ଅଫିସ,୧୩।୮: ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ ଯୋଗଦେଇ ଢେଙ୍କାନାଳ ଜିଲାରେ ୪ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୫୦୨ କୋଟି ଟଙ୍କାରେ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ବୋଲି ସୂଚନା ଦେଇଥିଲେ।

ଏହି ପ୍ରକଳ୍ପ ଦ୍ବାରା ଢେଙ୍କାନାଳ ସଦର, ପରଜଙ୍ଗ, କାମାକ୍ଷାନଗର ଓ କଙ୍କଡ଼ାହାଡ ବ୍ଲକର ୭୧ ପଞ୍ଚାୟତର ୨୭୧ଟି ଗ୍ରାମର ପ୍ରାୟ ୩ ଲକ୍ଷ ୨୨ ହଜାର ୨୦୪ ଜନସାଧାରଣ ପାନୀୟ ଜଳ ପାଇପାରିବେ। କାମାକ୍ଷାନଗର ବ୍ଲକ୍‌ ଅଧୀନ ୧୩ ପଞ୍ଚାୟତ ଅନ୍ତର୍ଗତ ୪୬ଟି ଗାଁର ୫୨,୯୧୪ ଲୋକ, ପରଜଙ୍ଗ ବ୍ଲକ ୨୯ ପଞ୍ଚାୟତ ଅନ୍ତର୍ଗତ ୯୨ ଗ୍ରାମର ୧,୩୫,୨୪୩ ଏବଂ କଙ୍କଡାହାଡ଼ ବ୍ଲକର ୨୧ ପଞ୍ଚାୟତର ୧୦୬ ଗ୍ରାମର ୯୬,୯୭୩, ସଦର ବ୍ଲକ ଅଧୀନ ୮ ପଞ୍ଚାୟତର ୨୭ ଗ୍ରାମର ୩୭,୦୬୪ ଲୋକଙ୍କ ସମେତ ଢେଙ୍କାନାଳ ପୌର ସଂସ୍କାର ୨୩ ଓ୍ବାର୍ଡ ପାଇଁ ପାନୀୟ ଜଳ ଯୋଗାଣ ହେବ । ଢେଙ୍କାନାଳ ପୌରାଞ୍ଚଳ ଓ ସଦର ବ୍ଲକର ଶଙ୍କରପୁର, ଧୀରପାଟଣା, ବାଲିଆମ୍ବା, ମଧୁସାହୁ ପାଟଣା ଓ ଚନ୍ଦ୍ରଶେଖର ପ୍ରସାଦ ଗ୍ରାମକୁ ମହାନଦୀରୁ ଏହି ପ୍ରକଳ୍ପ ଦ୍ବାରା ପାନୀୟ ଜଳ ଯୋଗାଣ ହେବ । ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ସେହିପରି ବ୍ରାହଣୀ ନଦୀର ପରଜଙ୍ଗ ବ୍ଲକ ଖାଲପାଳ ଗ୍ରାମରେ ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ପ୍ରକଳ୍ପ ନିର୍ମାଣ ଯୋଜନାରେ ଏକ ସେତୁ ଗଠନ ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ୨୨୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।