୫ ବର୍ଷରେ ଲାଗିଛି ୫୦ ହଜାର ଚାରା

 

ବଅଁରପାଳ,୨୨ା୭(ଡି.ଏନ.ଏ.)

ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅଞ୍ଚଳରେ ଥିବା ନବରତ୍ନ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ସେଥିମଧ୍ୟରୁ ପାରିପାର୍ଶ୍ୱିକ ଅଞ୍ଚଳରେ ଚାରା ରୋପଣ ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ପଦକ୍ଷେପ। ନାଲ୍‌କୋ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରତିବର୍ଷ ଏହି କାର୍ଯ୍ୟ କରାଯାଇ ଆସୁଛି। ଗତ ୫ ବର୍ଷ ମଧ୍ୟରେ ୫୦ ହଜାର ଚାରା ଲଗାଯାଇଥିବା ବେଳେ ସେଥିରୁ ୪୦ ହଜାର ବଞ୍ଚିଥିବା ସୂଚନା ମିଳିଛି।
ନାଲ୍‌କୋର ପାରିପାର୍ଶ୍ୱିକ ଅଞ୍ଚଳ କୁହାଯାଉଥିବା କୁକୁଡ଼ାଙ୍ଗ, କୁଲାଡ଼, ଗିରାଙ୍ଗ, ବଳରାମପ୍ରସାଦ, ତାଳଚେର ବ୍ଲକର କର୍ଣ୍ଣପୁର ଆଦି ଗ୍ରାମର ଆଖପାଖ ସ୍ଥାନରେ ଏହି ଚାରା ଲଗାଯାଇଛି। ସେହିପରି ସ୍ମେଲଟର, ସିପିପି ପ୍ଲାଣ୍ଟ ସମେତ ଟାଉନଶିପ୍‌ କଲୋନୀ ଅଞ୍ଚଳରେ ମଧ୍ୟ ଚାରା ରୋପଣ କରାଯାଇଛି। ବିଶେଷକରି ଶାଗୁଆନ, ଶିଶୁ, ଜାମୁ, ନିମ୍ବ, ବଉଳ, ଅଶୋକ, ଆମ୍ବ ଆଦି ବହୁଳ ମାତ୍ରାରେ ଲଗାଯାଉଛି। ବିଭିନ୍ନ ଔଷଧୀୟ ଚାରା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ନାଲ୍‌କୋ ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି। ଚଳିତବର୍ଷ ପ୍ଲାଣ୍ଟ ପକ୍ଷରୁ ୧୦ ହଜାର ଚାରା ଲଗାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଶହ ଲଗାଯାଇ ସାରିଲାଣି। ଆଖପାଖ ଅଞ୍ଚଳର ଲୋକମାନଙ୍କୁ ପ୍ରାୟ ୧୫ ହଜାର ଚାରା ବଣ୍ଟନ କରାଯିବ। ଯେଉଁ ଅଞ୍ଚଳରେ ଏହା ରୋପଣ କରାଯାଉଛି ସେଠାରେ କିପରି ଯତ୍ନ ନିଆଯାଇପାରିବ ସେ ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ନାଲ୍‌କୋ ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଇଛି।