୫ଶହ ବର୍ଷର ପରମ୍ପରା ମୁଣ୍ଡ ରାମଲୀଳା

ଶରଣକୁଳ,୧ା୫(ଡି.ଏନ.ଏ.): ନୟାଗଡ଼ ଜିଲା ତା’ର ଅନନ୍ୟ ଲୋକକଳା ପାଇଁ ବିଖ୍ୟାତ। ନୟାଗଡ଼ର ଢ଼େଣୁକୋଇଲା, ବାଉଁଶରାଣୀ ଖେଳ, ଢ଼ୁମ୍ପା, ଦଣ୍ଡନୃତ୍ୟ, ମୁଣ୍ଡପୋତା କେଳା ଅଭିନୟ, ଯୋଗୀ କେନ୍ଦେରା ଗୀତ, କଣ୍ଢେଇ ନାଚ, ଏକକ ନୃତ୍ୟାଭିନୟ, ଦାସକାଠିଆ ଓ ଘୁଡ଼ୁକୀ ନୃତ୍ୟ ସାରା ରାଜ୍ୟରେ ସ୍ବତନ୍ତ୍ରତା ବଜାୟ ରଖିଛି। ସେଥି ମଧ୍ୟରୁ ମୁଣ୍ଡ ରାମଲୀଳା ବି ଦର୍ଶକଙ୍କ ମନରେ ଆଜି ବି ଆଧ୍ୟାମତ୍ିକ ଚେତନା ଭରି ଦେଉଛି।
ଶରଣକୁଳ ଗୁଡ଼ିଆ ସାହିରେ ଗତ ୫ ଶହ ବର୍ଷ ଧରି ବଞ୍ଚତ୍ ରହିଛି ଏହି ଲୋକକଳା। ପ୍ରତିବର୍ଷ ଅକ୍ଷୟ ତୃତୀୟାରୁ ଶୁଭ ଖୁଣ୍ଟି ପଡି ଏହି ମୁଣ୍ଡ ରାମଲୀଳା ମଞ୍ଚସ୍ଥ ହୋଇଥାଏ। ସାହିର ଉତ୍ସାହି ଯୁବକ ଓ ଅଭିଜ୍ଞତା ସମ୍ପନ୍ନ ମୁରବୀମାନେ ବିନା ସରକାରୀ ଅନୁଦାନ କିମ୍ବା ଅନ୍ୟ କିଛି ଆର୍ଥତ୍କ ସହାୟତା ବିନା ଏହି ଅଭିନୟକୁ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି। ସେମାନେ ନିଜ ଭିତରେ ଚାନ୍ଦା ଆଦାୟ କରି ସେହି ଲୋକ କଳାକୁ ବଞ୍ଚାଇ ରଖିଛନ୍ତି। ଅକ୍ଷୟତୃତୀୟ ମାସେ ପୂର୍ବରୁ ବିଭିନ୍ନ ସାହିରେ ସଭା ବସି ଏ ବିଷୟରେ ଆଲୋଚନା ହୋଇଥାଏ। ସାହିର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ କିଏ କେଉଁ ଭୂମିକାରେ ଅଭିନୟ କରିବେ ତାହା ବଛା ଯାଇଥାଏ। ସମସ୍ତେ ଅରୁଆ ହବିଷାନ୍ନ ଖାଇ ସନ୍ଧ୍ୟାରେ ଅଭିନୟ ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କଳାକାର ପେଟିଂକାମ ସୁଚାରୁ ରୂପେ ତୁଲାଇ ଅଭିନେତାମାନଙ୍କୁ ବେଶ କରାନ୍ତି। ଲୋକଙ୍କ ବିଶ୍ୱାସ, ନିଷ୍ଠାରେ ନ ରହିଲେ ଶତାଧିକ ବର୍ଷ ଧରି ପୂଜିତ ହନୁମାନାଦି ମୁଣ୍ଡ ଧାରଣ କରି ନୃତ୍ୟ କରିବା ସମ୍ଭବ ହୋଇ ନ ଥାଏ। ସାହିର ବର୍ଷିୟାନ ବ୍ୟକ୍ତି ବ୍ରଜବନ୍ଧୁ ମହାପାତ୍ରଙ୍କୁ ଏସମ୍ପର୍କରେ ପଚାରିବାରୁ ସେ କୁହନ୍ତି, ଯେଉଁ ବର୍ଷ ଏ ମୁଣ୍ଡ ରାମଲୀଳା ବନ୍ଦ ହୁଏ ସାହିରେ ଦୈବ ଦୁର୍ବିପାକ ଦେଖାଦିଏ। ମୁଣ୍ଡରାମଲୀଳାର ବିଶେଷତ୍ୱ ହେଲା ରାମ,ଲକ୍ଷ୍ମଣ ଓ ସୀତାଙ୍କ ଚରିତ୍ରକୁ ଛାଡି ଦେଲେ ରାମାୟଣର ଆଉ ସମସ୍ତ ଚରିତ୍ର କାଠରେ ନିର୍ମିତ ମୁଣ୍ଡକୁ ମୁଣ୍ଡାଇ ନୃତ୍ୟ ପ୍ରଦର୍ଶନ ତଥା ଅଭିନୟ କରିଥାନ୍ତି। ଅନ୍ୟପକ୍ଷେ ସୀତାଦି ସମସ୍ତ ନାରୀ ଚରିତ୍ରରେ ପୁଅମାନେ ଅଭିନୟ କରନ୍ତି। ଆରଣ୍ୟକ କାଣ୍ଡଠାରୁ ଆରମ୍ଭ କରି ରାମାଭିଷେକ ପର୍ଯ୍ୟନ୍ତ ସମସ୍ତ ବିଷୟ ପ୍ରତିଦିନ ଏକ ସୁସଜ୍ଜିତ ମଞ୍ଚରେ ମଞ୍ଚସ୍ଥ ହୋଇଥାଏ। ରାମାୟଣ ପାରାୟଣ ସାଙ୍ଗକୁ ଅଭିନୟ ହୁଏ। କେତେଜଣ କଳାକାର ନିଜସ୍ବ କଣ୍ଠରେ ଗୀତ ଗାୟନ କଲା ବେଳେ କିଛି ପଂକ୍ତି ପୁରାଣ ଗାୟକ ପଢ଼ନ୍ତି। ଆକର୍ଷଣୀୟ ବେଶଭୁଷା ସହିତ ବିଭିନ୍ନ ଚରିତ୍ରର କାଠମୁଣ୍ଡ ପିନ୍ଧି ଅଭିନୟ କରିବା କଷ୍ଟ ସାଧ୍ୟ ହୋଇଥିଲେ ମଧ୍ୟ କଳାକାରମାନେ ବେଶ ଉତ୍ସାହିତ ଅଭିନୟ କରିଥାନ୍ତି। ପୁରାତନ କଳାକାରମାନେ ନୂତନ କଳାକାରଙ୍କୁ ନିର୍ଦ୍ଦେଶନା ଦେଇଥାଆନ୍ତି। କମିଟିର ସମ୍ପାଦକ ବିଶ୍ୱଜିତ ସାହୁଙ୍କ ତତ୍ତ୍ୱାବଧାନରେ ମୁଣ୍ଡ ରାମଲୀଳା ପରିଚାଳିତ ହେଉଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇ ଥାନ୍ତି ରାମ ନାଟକର ଗାୟକ ବ୍ରଜକିଶୋର ମହାପାତ୍ର ଓ ନିର୍ଦ୍ଦେଶକ ସୀତାରାମ ମହାପାତ୍ର। ପୁରାତନ କବି ବିକ୍ରମ ଭଣତିଙ୍କ ଦ୍ୱାରା ରଚିତ ହୋଇଥିବା ‘ମୁଣ୍ଡ ରାମଲୀଳା’ ଦେଖିବାକୁ ଭିଡ଼ ଜମାଇଥାଆନ୍ତି ଅଞ୍ଚଳବାସୀ ା ଧର୍ମ ଓ ପରମ୍ପରାର ବାହକ ଏହି ପୁରାତନ ଲୋକକଳାକୁ ବଞ୍ଚାଇ ରଖିବାକୁ ସରକାରୀ ପ୍ରୋତ୍ସାହନ ଓ ସଂସ୍କୃତି ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶରଣକୁଳର ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।