ଦିଲ୍ଲୀ ଗଲେ ୫୦୦ ଚାଷୀ

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ନୂତକ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଛି। ଏହାକୁ ସମର୍ଥନ ଜଣାଇ ଶୁକ୍ରବାର ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ ବସ୍‌ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ନବନିର୍ମାଣ କୃଷକ ସଙ୍ଗଠନ ଏକ ସକ୍ରିୟ ଜାତୀୟ ସଙ୍ଗଠନର ଭୂମିକା ନେଇଛି। ଏହାର ମୁଖ୍ୟ ତଥା ଜାତୀୟ ସଂଯୋଜକ ଅକ୍ଷୟ କୁମାର ଦିଲ୍ଲୀରେ ମାସାଧିକ କାଳ ଆନ୍ଦୋଳନରେ ରହିବା ସହ ଦୁଇଥର କେନ୍ଦ୍ର ସରକାରଙ୍କ ସହ ଆଲୋଚନାରେ ଭାଗ ନେଇଛନ୍ତି। ତେବେ ଦିଲ୍ଲୀ ଯାତ୍ରା ପୂର୍ବରୁ ଲୋୟର ପିଏମ୍‌ଜିରେ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ କୃଷକ ନେତାଙ୍କ ସମେତ ସଙ୍ଗଠନର ଉପଦେଷ୍ଟା ରବି ଦାସ ଚାଷୀଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଶା ଚାଷୀଙ୍କ ଯୋଗଦାନ ଚାଷୀ ଆନ୍ଦୋଳନକୁ ତେଜିଆନ କରିବ ବୋଲି କହିଥିଲେ। ଅକ୍ଷୟ କୁମାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଲେ, କେନ୍ଦ୍ର ସରକାର ଆଲୋଚନା ନାଁରେ ତାରିଖ ଗଡ଼ାଇ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା କେବେ ସଫଳ ହେବ ନାହିଁ। ଲମ୍ବା ଲଢ଼େଇରେ ଚାଷୀଙ୍କ ଐତିହାସିକ ବିଜୟ ହେବ। ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ, ବିଷ ଲଡୁ ଧରି ମୂଷାଙ୍କୁ ଯେମିତି ମରାଯାଏ ସେମିତି କଳା କାନୁନ୍‌ ମାଧ୍ୟମରେ କେନ୍ଦ୍ର ସରକାର ଚାଷୀଙ୍କୁ ମାରିବା ପାଇଁ ଅଭିଯାନ ଚଳାଇଛନ୍ତି। ଏହାର ଦୃଢ଼ ଜବାବ ଦେବା ପାଇଁ ଓଡ଼ିଶାର ଚାଷୀ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଗୋଟିଏ ଦୁଇଟି ରାଜ୍ୟର ଆନ୍ଦୋଳନ ନୁହେଁ ବୋଲି ଓଡ଼ିଶା ଲୋକେ ଦିଲ୍ଲୀରେ ପହଞ୍ଚତ୍ ପ୍ରମାଣ କଲେଣି। ଚାଷୀ ଆନ୍ଦୋଳନର ନିଆଁକୁ କେନ୍ଦ୍ର ସରକାର ଭବିଷ୍ୟତରେ ରୋକିପାରିବେ ନାହିଁ ବୋଲି ସେ କହିଥିଲେ। ସମାବେଶରେ ସଙ୍ଗଠନର ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ, ଉମାକାନ୍ତ ଭାରତ ଓ ଯୁବଛାତ୍ର ସଂଯୋଜକ ମନୱାର ଅଲ୍ଲୀ ଯୋଗ ଦେଇଥିଲେ। ଏହି ଯାତ୍ରା କୋଲକାତା, ରାଞ୍ଚତ୍, ଉତ୍ତର ପ୍ରଦେଶ ଦେଇ ଦିଲ୍ଲୀରେ ପହଞ୍ଚତ୍ବ। ଜାନୁୟାରୀ ୨୬ରେ ଟ୍ରାକ୍ଟର ପରେଡ୍‌ରେ ଚାଷୀମାନେ ସାମିଲ ହେବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ଜାତୀୟ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।