୫୦୦ କୋଟି ଲୋକ ଶୋଷରେ ହେବେ ଆଉଟୁପାଉଟୁ…

ଓ୍ବାଶିଂଟନ,୬।୧୦: ଏବେ ପୃଥିବୀରେ ଜାରି ରହିଥିବା ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ଧାରାରେ ପରିବର୍ତ୍ତନ ନ ଆସିଲେ ଆଉ ୩୦ ବର୍ଷ ପରେ ୨୦୫୦ ବେଳକୁ ସ୍ଥିତି ଅଣାୟତ ହେବ। ପୃଥିବୀର ୫୦୦ କୋଟି ଲୋକ ପିଇବା ପାଣି ମୁନ୍ଦେ ନ ପାଇ ଶୋଷରେ ଆଉଟୁପାଉଟୁ ହେବେ। ଏନେଇ ‘ଦ ଷ୍ଟେଟ୍‌ ଅଫ୍‌ କ୍ଲାଇମେଟ୍‌ ସର୍ଭିସ୍‌ ୨୦୨୧: ଓ୍ବାଟର’ ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୮ରେ ପୃଥିବୀର ୩୬୦ କୋଟି ଲୋକ ବର୍ଷକୁ ମାସେ ପିଇବା ପାଣି ପାଊ ନ ଥିବା ଜାତିସଂଘର ଓ୍ବାଲର୍‌ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେଶନ ପକ୍ଷରୁ ପ୍ରକାଶିତ ହୋଇଛି। ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଗ୍ଲାସଗୋଠାରେ ଅକ୍ଟୋବର ୩୧ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଜଳ ସଙ୍କଟ ରିପୋର୍ଟ ପ୍ରକାଶିତ ହୋଇଛି।

୨୦୦୦ ପରେ ପୃଥିବରରେ ଜଳ ସଙ୍କଟ ବଢ଼ିବାରେ ଲାଗିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗତ ୨୦ ବର୍ଷ ଧରି ପୃଥିବୀ ପୃଷ୍ଠରେ ଥିବା ଜଳର ପରିମାଣ ବର୍ଷ ପିଛା ୧ ସେଣ୍ଟିମିଟର ହାରରେ କମିବାରେ ଲାଗିଛି। ଏହା ଜାରି ରହିଲେ ମହାବିପତ୍ତି ଆସିବାର ଆଶଙ୍କା ରହିଥିବା ରିପୋର୍ଟରେ କୁହାଯାଇଛି।

ଗତ ୨୦ ବର୍ଷ ତୁଳନାରେ ଏବେ ବନ୍ୟା ବିଭୀଷିକା ୧୩୪ ପ୍ରତିଶତ ବୃଦ୍ଧି ପାଇଛି। ସେହିପରି ମରୁଡ଼ି ଘଟଣା ୩୦ ପ୍ରତିଶତ ବଢ଼ିଛି। ଏହାର ମୂଳ କାରଣ ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

 

Share