କାଲିମେଳା, ୧୯।୧୧ (ଜୀବନ କୃଷ୍ଣ ଦାସ): ବେଆଇନ ଭାବେ କଇଁଛ ଚୋରା ଚାଲାଣ ବେଳେ ମାଲକାନଗିରି ଜିଲା କାଲିମେଳା ବନ ବିଭାଗ ଟିମ୍ ଚଢ଼ାଉ କରି ୫୦ଟି ଜୀବନ୍ତ ଭାରତୀୟ ଫ୍ଲାପ-ସେଲ କଇଁଛ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ କଇଁଛ ପରିବହନରେ ବ୍ୟବହୃତ ୨ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତେଲରାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ପିଭି-୬୪ ଗ୍ରାମର ନବଗୋପାଳ ମଣ୍ଡଳ ଏବଂ ଦେବବ୍ରତ ଗାଇନ। ଉଦ୍ଧାର କଇଁଛଗୁଡ଼ିକର ମୋଟ ଓଜନ ପ୍ରାୟ ୭୦ରୁ ୮୦ କିଲୋଗ୍ରାମ ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, କାଲିମେଳା ରେଞ୍ଜର ବିଜୟ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ଦେବାଶିଷ ପ୍ରଧାନ, ଫରେଷ୍ଟ ଗାର୍ଡ ନରସିଂହ ସାନ୍ତାଙ୍କ ସମେତ ଅନ୍ୟ ପାରା କର୍ମଚାରୀମାନେ ମଙ୍ଗଳବାର ସକାଳ ପ୍ରାୟ ୬ଟା ୨୫ରେ କୋଇମେଟଲା-ଜବାନପଲ୍ଲୀ ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ୨ଜଣ ବ୍ୟକ୍ତି ବାଇକ୍ରେ କିଛି ସନ୍ଦେହଜନକ ଜିନିଷ ନେଇ ଯାଉଥିବା ବନ କର୍ମଚାରୀମାନେ ଦେଖି ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେମାନଙ୍କ ନିକଟରୁ ୫୦ଟି ଜୀବନ୍ତ କଇଁଛ ମିଳିଥିଲା। ଏହାପରେ ବନ ବିଭାଗ କଇଁଛଗୁଡ଼ିକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ କାବୁ କରିଥିଲା। ଏତେ ସଂଖ୍ୟକ କଇଁଛ ସେମାନେ କେଉଁଠାରୁ ଆଣିଥିଲେ ଏବଂ ଏହା ପଛରେ କୌଣସି ବଡ଼ ବନ୍ୟଜନ୍ତୁ ଚୋରାଚାଲାଣ ର଼୍ୟାକେଟ ସକ୍ରିୟ ଅଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ପ୍ରାସଙ୍ଗିକ ଧାରା ଅନୁଯାୟୀ ମାମଲା ରୁଜୁ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଉଦ୍ଧାର ହୋଇଥିବା କଇଁଛଗୁଡ଼ିକୁ ବର୍ତ୍ତମାନ ବନ ବିଭାଗ ନିଜ ହେପାଜତରେ ରଖିଛି। ଆଇନଗତ ପ୍ରକ୍ରିୟା ପରେ କଇଁଛଗୁଡ଼ିକର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ, ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ସେମାନଙ୍କୁ ଉପଯୁକ୍ତ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡ଼ିବାର ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।