ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ ବିଦ୍ୟାର୍ଥୀ କରୋନା ପଜିଟିଭ, ସମସ୍ତ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୪ ।୧: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର କାରଣ ପାଲଟିଯାଇଛି । ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ ଛାତ୍ରୀଛାତ୍ର କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପରିସରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହ ୧୫ ଜାନୁୟାରୀରୁ ୩୧ ଜାନୁୟାରୀ ମଧ୍ୟରେ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୨୦୨୧ରୁ ଆରମ୍ଭ ହୋଇଥିବା ସେମିଷ୍ଟର ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ପରୀକ୍ଷାର ନୁଆ ତାରିଖ ଖୁବଶୀଘ୍ର www.lkouniv.acରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।

Share