Categories: ଜାତୀୟ

କଂଗ୍ରେସରେ ଏସ୍‌ସି-ଏସ୍‌ଟି-ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପ୍ରସ୍ତାବ ଆଗତ…

ଉଦୟପୁର, ୧୪।୫ : ରାଜସ୍ଥାନର ଉଦୟପୁରର କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବରରେ ଦଳ ସଂଗଠନରେ ଏସ୍‌ସି / ଏସ୍‌ଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାନୁସାରେ, ପାର୍ଟିରେ ଏକ ବଡ ବର୍ଗ ଦୀର୍ଘ ଦିନ ଧରି ଦଳୀୟ ସଂଗଠନରେ ଏହି ସଂରକ୍ଷଣ ଦାବି କରିଆସୁଥିଲା।

ଚିନ୍ତନ ଶିବିରର ଦ୍ୱିତୀୟ ଦିନରେ ଦଳର ନେତା କେ. ରାଜୁ କହିଛନ୍ତି ଦଳଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେ. ରାଜୁଙ୍କ ଅନୁଯାୟୀ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ ଦଳରେ ସାଂଗଠନିକ ପରିବର୍ତ୍ତନକୁ ଅନୁମୋଦନ କରାଯାଇଛି। ସେ କହିଛନ୍ତି ଯେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ପାଇଁ ଗଠିତ କମିଟି ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରିଛି। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଏହି ପ୍ରସ୍ତାବ ଉପସ୍ଥାପିତ ହେବ। ଏହା ବ୍ୟତୀତ ଦଳରେ ସାମାଜିକ ନ୍ୟାୟ ପରାମର୍ଶଦାତା ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

କୁହାଯାଉଛି ଯେ ଏହି କମିଟି କଂଗ୍ରେସ ସଭାପତିଙ୍କ ସାମ୍ନାରେ ସାମାଜିକ ପ୍ରସଙ୍ଗ ଉଠାଇବ ଏବଂ ଏ ବାବଦରେ ତାଙ୍କୁ ପରାମର୍ଶ ଦେବ। ଏହା ବ୍ୟତୀତ ସାମାଜିକ ଦୁର୍ବଳ ବିଭାଗ ପାଇଁ ମାସରେ ଥରେ କଂଗ୍ରେସ ୱାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବ। କେ .ରାଜୁ କହିଛନ୍ତି ଯେ ଆମେ ଚାହୁଁ ଜାତି ଭିତ୍ତିକ ଜନଗଣନା ଜାତୀୟ ସ୍ତରରେ କରାଯାଉ। ବେସରକାରୀ କ୍ଷେତ୍ରରେ ସଂରକ୍ଷଣର ଲାଭ ମଧ୍ୟ ଏସ୍‌ସି,ଏସ୍‌ଟି ଏବଂ ଓବିସିଙ୍କୁ ମିଳୁ।

ଏହା ବ୍ୟତୀତ ଦଳ ଚାହୁଁଛି ଯେ ମହିଳା ସଂରକ୍ଷଣ ବିଲରେ ଏସବୁ ବର୍ଗରେ ମହିଳାଙ୍କ ପାଇଁ ପୃଥକ ବ୍ୟବସ୍ଥା ହେବା ଉଚିତ୍‌। ଉଲ୍ଲେଖନୀୟ ବିଷୟ ହେଉଛି, ରବିବାର ଉଦୟପୁରରେ କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିରର ତୃତୀୟ ଦିନ। ଦୁଇ ଦିନ ଧରି ବିଭିନ୍ନ କମିଟିରେ ଯାହା ନିଷ୍ପତ୍ତି ନିଆଯିବ, ସେଗୁଡିକ ରବିବାର ଦିନ କଂଗ୍ରେସ ୱାର୍କିଂ କମିଟି ସମ୍ମୁଖରେ ରଖାଯିବ। ଏହି ନିଷ୍ପତ୍ତିଗୁଡିକ କଂଗ୍ରେସ କାର୍ଯ୍ୟ କମିଟି ଦ୍ୱାରା ଚୂଡାନ୍ତ କରାଯିବ।

Share