୫୦ କେଜିର ଲଡୁ ଲାଗି ହେବ

ଜଟଣୀ,୮ା୯(ରବୀନ୍ଦ୍ର ନାଥ ମହାକୁଡ଼): ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଜଟଣୀ ସହର। ଏଥିପାଇଁ ବିଭିନ୍ନ ବ୍ୟବସାୟୀ ସଂଘ, ସାହିବସ୍ତି ଓ କ୍ଲବ ପକ୍ଷରୁ ଧୁମଧାମରେ ଗଣେଶପୂଜା ପାଳନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସମସ୍ତେ ନିଜ ତୋରଣକୁ ଅନ୍ୟଠୁ ଭିନ୍ନ ଓ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଟଣୀ ସହରର ପୋଷ୍ଟ ଅଫିସ ବ୍ୟବସାୟୀ ସଂଘ ପୂଜା କମିଟି ମଧ୍ୟ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି। ପ୍ରତିବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ କିଛି କିଛି ନୂଆ କରିବାର ପ୍ରୟାସ କରିଥାଏ ସଂଘ। ଏଥର ଏଲ୍‌ଇଡି ଲାଇଟରେ ୪୫ ଫୁଟର ରାମଦୋଳି ଗେଟ୍‌ ଏବଂ ବିଭିନ୍ନ ପ୍ରକାର ମେକାନିକାଲ ଲାଇଟ ରହିବ, ଯାହାକି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ସଂଘର କର୍ମକର୍ତ୍ତା କହିଛନ୍ତି।
ବହୁ ବର୍ଷ ପୂର୍ବେ ପୋଷ୍ଟ ଅଫିସ ଛକରେ ବ୍ୟବସାୟୀ ସୀତାରାମ ଅଗ୍ରଓ୍ବାଲ ନିଜ ଘରେ ପ୍ରଥମେ ଛୋଟ ଛୋଟ ତ୍ରିମୂର୍ତ୍ତିଙ୍କୁ ନେଇ ପୂଜା ଆରମ୍ଭ କରିଥିଲେ। କୌଣସି କାରଣରୁ ପୂଜା କିଛି ବର୍ଷ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବୃଦ୍ଧି ହେବାରୁ ବ୍ୟବସାୟୀମାନେ ଏକତ୍ରିତ ହୋଇ ଥାନା ଛକରେ ପୂଜା କରିଆସୁଥିଲେ। ୨୦୧୭ ରୁ ପୁଣି ପୋଷ୍ଟ ଅଫିସ ଛକରେ ଏହି ପୂଜା ପାଳନ ହୋଇଆସୁଅଛି। ଏଥର ମା’ଲକ୍ଷ୍ମୀ ଏବଂ ସରସ୍ବତୀଙ୍କ ସହ ୨୦ଫୁଟ ଉଚ୍ଚର ଗଜାନନଙ୍କ ମୂର୍ତ୍ତି ପୂଜା ପାଇବାକୁ ଥିବାବେଳେ ୫୦କେଜି ଓଜନର ଦେଶୀ ଘିଅ ଏବଂ ବେସନରେ ପ୍ରସ୍ତୁତ ଲଡୁ ଠାକୁରଙ୍କ ଠାରେ ଲାଗିହେବ। ପ୍ରାୟ ୨୦ଲକ୍ଷ ଟଙ୍କା ପୂଜାରେ ଖର୍ଚ୍ଚ ହେବା ନେଇ କମିଟି ଆକଳନ କରିଛି। ଗଣେଶ ଚତୁର୍ଥୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ଚୁଡ଼ାଘଷା ସହିତ ବିଭିନ୍ନ ଫଳ ଭୋଗ ଲାଗି ହେଉଥିବା ବେଳେ ମଧ୍ୟାହ୍ନରେ ମାନସିକଧାରୀଙ୍କ ଦ୍ୱାରା ଖେଚୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ପାଳି ଅନୁଯାୟୀ ବ୍ୟବସାୟୀ ବିଭିନ୍ନ ଭୋଗ ଠାକୁରଙ୍କ ନିକଟରେ ଲାଗି କରିଥାନ୍ତି। ପୂଜା ସମୟରେ ଏହି ମଣ୍ଡପରେ ବିଭିନ୍ନ ଅଞ୍ଚଳର ମା’ଭଉଣୀମାନେ ଅନନ୍ତ ବ୍ରତ ଏବଂ ସୁଦଶା ବ୍ରତ କରିଥାନ୍ତି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନେଇ କମିଟି ପକ୍ଷରୁ ସ୍ଥିର ହୋଇଛି। ପୂଜା ସମୟରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସହିତ ୧୦୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଭସାଣି ଶୋଭାଯାତ୍ରାର ପରଦିନ ୫୦କେଜିର  ଲଡୁ ନିଲାମ ହେବ ବୋଲି ବୋଲି ସଂଘ ପକ୍ଷରୁ କୁହାଯାଇଛି।