ଧାରଣାକୁ ୫୦ଦିନ ପୂରିଲା, ଉଠିଲାନି ଧାନ: ବିଧାୟକଙ୍କ କଥା ରଖିଲେ, ବ୍ୟକ୍ତିଗତ ଜଣାଇଲେ ସମସ୍ୟା

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ସପ୍ତାହ ପରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡ଼ି ଏପର୍ଯ୍ୟନ୍ତ ଜିଲାର ଅନେକ ଚାଷୀ ଗତବର୍ଷ ଖରିଫ୍‌ରେ ଅମଳ ଧାନକୁ ବିକ୍ରି କରିପାରି ନାହାନ୍ତି। ସ୍ଥାନୀୟ ଜନ ପ୍ରତିନିଧି, ଜିଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ସମ୍ପୃକ୍ତ ଚାଷୀମାନେ ଗତମାସ ୯ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସୋମବାର ଧାରଣା ୫୦ଦିନରେ ପହଞ୍ଚି ଥିବାବେଳେ ଗତ ଶୁକ୍ରବାର ଅନୁଷ୍ଠିତ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଶାସକ ଦଳର ବିଧାୟକମାନେ ଦେଇଥିବା ପରାମର୍ଶକ୍ରମେ ସମ୍ପୃକ୍ତ ଚାଷୀମାନେ ବ୍ୟକ୍ତିଗତଭାବେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଭେଟି ନିଜ ଧାନ ବିକ୍ରିବଟା ସମସ୍ୟା ଲେଖି ଜଣାଇଛନ୍ତି। ଏଭଳିଭାବେ ଅମ୍ବାଭୋନା ଏବଂ ଭେଡେନ ବ୍ଲକର ଶତାଧିକ ଚାଷୀ ଜିଲାପାଳଙ୍କୁ ବ୍ୟକ୍ତିଗତ ଭେଟି ଖରିଫ୍‌ରେ ଅମଳ ହୋଇଥିବା ସେମାନଙ୍କ ଧାନକୁ ତୁରନ୍ତ କିଣିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।
ଭେଡ଼େନ ବ୍ଲକ ରେମଣ୍ଡା ଗ୍ରାମର ଚାଷୀ ଶ୍ରଦ୍ଧାକର ପ୍ରଧାନ ବ୍ୟକ୍ତିଗତ ଭାବେ ଜିଲାପାଳଙ୍କୁ ଭେଟି ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, ଖରିଫ ଧାନବିକ୍ରି ପାଇଁ ସେ ଗତବର୍ଷ ଅଗଷ୍ଟ ମାସ ୨୫ତାରିଖ ମଧ୍ୟରେ ସରକାରଙ୍କ ନିୟମ ମୁତାବକ ଉଦ୍ଦିଷ୍ଟ ସମସ୍ତ କାଗଜାତ୍‌ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ପ୍ରଦାନ କରିଥିଲେ। ହେଲେ ବ୍ୟବସ୍ଥାର ଜଟିଳତା, ସର୍ଭର ଡାଉନ ଏବଂ ପଞ୍ଜୀକରଣ ପାଇଁ ଖୋଲିଥିବା ସାଇଟ୍‌ ଗତବର୍ଷ ଅଗଷ୍ଟ ୨୫ତାରିଖ ବନ୍ଦ ହୋଇଯିବାରୁ ତାଙ୍କ ପଞ୍ଜୀକରଣ ହୋଇପାରି ନଥିଲା। ପଞ୍ଜୀକରଣରୁ ଏଭଳି ବାଦ୍‌ ପଡ଼ିଥିବା ଚାଷୀଙ୍କ ସହିତ ସେ ମଧ୍ୟ ଜିଲାପାଳ, ଯୋଗାଣ ମନ୍ତ୍ରୀ, ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ଏହି ସମସ୍ୟା ଜଣାଇଥିଲେ। ମାତ୍ର କିଛି ସୁଫଳ ମିଳି ନଥିଲା। ଫଳରେ ସେତେବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ୧୧ଦିନ ଧାରଣା ଦିଆଯିବା ପରେ ଗତବର୍ଷ ନଭେମ୍ବର ୨୦ତାରିଖ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଧାରଣାସ୍ଥଳକୁ ପହଞ୍ଚିଥିଲେ ଏବଂ ସେହି ସମସ୍ୟାର ସମାଧାନ ସହିତ ଧାନକିଣା ତାଙ୍କ ଦାୟିତ୍ୱ ତାଙ୍କର ବୋଲି ବିଧାୟକ ମହାନନ୍ଦ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ୭ଏକର ୮ଡେସିମିଲ ଜମିରୁ ଗତ ଖରିଫ୍‌ରେ ଅମଳ ହୋଇଥିବା ୩୩୦ ପ୍ୟାକେଟ୍‌ ଧାନ ବିକ୍ରି ଅପେକ୍ଷାରେ ସହରାଟିକ୍ରା ମଣ୍ଡିରେ ପଡ଼ି ରହିଛି ଏବଂ ଏଥିପାଇଁ ସେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀ ଶ୍ରଦ୍ଧାକର ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।
ଶ୍ରଦ୍ଧାକରଙ୍କ ଭଳି ଶତାଧିକ ଚାଷୀ ଅନୁରୂପଭାବେ ସେମାନଙ୍କ ଧାନବିକ୍ରି ସମସ୍ୟା ବ୍ୟକ୍ତିଗତଭାବେ ଜିଲାପାଳଙ୍କୁ ଜଣାଇଛନ୍ତି ଏବଂ ବିକ୍ରି ଅପେକ୍ଷାରେ ରହିଥିବା ସେମାନଙ୍କ ଧାନ କିଣିବା ବ୍ୟବସ୍ଥା କରିବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଜିଲାପାଳ ସେଥିପାଇଁ ୧୫ଦିନ ସମୟ ମାଗିଛନ୍ତି ଏବଂ ଯାଞ୍ଚ ପରେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ପ୍ରକାଶଥାଉକି, ଗତ ଶୁକ୍ରବାର ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥିଲା। ଉକ୍ତ ବୈଠକ ଆରମ୍ଭରୁ ଖରିଫ୍‌ରେ ଅମଳ ଧାନବିକ୍ରି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ପ୍ରସଙ୍ଗକୁ ଉପସ୍ଥିତ ଚାଷୀ ପ୍ରତିନିଧି ବିରେନ କର ବୈଠକରେ ଉପସ୍ଥାପନ କରିଥିଲେ। ତାକୁ ନେଇ ଚାଷୀ ପ୍ରତିନିଧି କର ଏବଂ ଉପସ୍ଥିତ ଶାସକ ଦଳର ବିଧାୟକଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା। ତେବେ ଚାଷୀମାନେ ବ୍ୟକ୍ତିଗତଭାବେ ଭେଟି ସେମାନଙ୍କ ଧାନବିକ୍ରି ସମସ୍ୟା ଜଣାଇଲେ ନିଶ୍ଚିତଭାବେ ତାର ତୁରନ୍ତ ସମାଧାନ ହେବ ଏବଂ ଯାଞ୍ଚ ପରେ ଧାନ କିଣାଯିବ ବୋଲି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ କହିଥିଲେ। ଏହି କ୍ରମରେ ଚାଷୀମାନେ ବ୍ୟକ୍ତିଗତଭାବେ ସେମାନଙ୍କ ସମସ୍ୟା ଜିଲାପାଳଙ୍କୁ ଲେଖି ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 

Share