Categories: ରାଜ୍ୟ

ଆଳୁ ଚାଷ ପାଇଁ ୫ ବର୍ଷିଆ ଯୋଜନା

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆସନ୍ତା ୫ ବର୍ଷ ମଧ୍ୟରେ ଆଉ ଅଧିକ ୧୩,୬୦୦ ହେକ୍ଟର ଜମିରେ ଆଳୁଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ୨୦୨୧ ଖରିଫ ଋତୁରେ ୧୪୫୦ ହେକ୍ଟର ଜମିରେ ଏବଂ ରବି ଋତୁରେ ୫ ହଜାର ହେକ୍ଟର ଜମିରେ ଆଳୁଚାଷ ହେବ। ଅନୁଗୋଳ ଜିଲାରେ ଖରିଫ ଋତୁରେ ୮୦ ହେକ୍ଟର ଜମିରେ ଆଳୁଚାଷ କରାଯାଇଛି। ସେହିପରି ବରଗଡ଼ ୨୦, ବୌଦ୍ଧ ୩୦, ଦେବଗଡ଼ ୩୦, ଗଜପତି ୫୦, ଝାରସୁଗୁଡ଼ା ୪୦, କନ୍ଧମାଳ ୨୫୦, କୋରାପୁଟ ୫୦୦, ରାୟଗଡ଼ା ୪୦, କେନ୍ଦୁଝର ୫୦, କଳାହାଣ୍ଡି ୩୦, ମାଲକାନଗିରି ୩୦, ନୟାଗଡ଼ ୫୦, ସମ୍ବଲପୁର ୧୬୦ ଏବଂ ସୁନ୍ଦରଗଡ଼ ଜିଲାର ୯୦ ହେକ୍ଟର ଜମିରେ ଆଳୁଚାଷ କରାଯିବ ବୋଲି ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଳୁଚାଷ ପ୍ରତି କୃଷକଙ୍କ ଆଗ୍ରହ ବଢ଼ାଇବା ସହ ରାଜ୍ୟକୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଅନ୍ତର୍ଜାତୀୟ ଆଳୁ ସଂସ୍ଥା (ସିଆଇପି) ମଧ୍ୟରେ ୨୦୧୮ରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆର୍‌କେଭିଓ୍ବାଇ) ସହାୟତାରେ ସିଆଇପି ପ୍ରକଳ୍ପ ୭ ଜିଲାରେ କାର୍ଯ୍ୟକାରୀ କରାଯାଉଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର। ଏହିସବୁ ଜିଲାରେ ୨୦୧୯-୨୦ ଏବଂ ୨୦୨୦-୨୧ରେ ୪୮୦ ହେକ୍ଟର ଜମିରେ ରବି ଆଳୁ ଚାଷ କରାଯାଇଛ। ସେହିପରି କୋରାପୁଟ ଓ କନ୍ଧମାଳ ଜିଲାର ୪୦୦ ହେକ୍ଟର ଜମିରେ ଆଳୁଚାଷ କରାଯାଇଥିବା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ୨୬,୮୮୦ ହେକ୍ଟର ଜମିରେ ଆଳୁଚାଷ କରାଯାଉଛି। ଉତ୍ପାଦନ ବଢ଼ାଇବାକୁ ସରକାର ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲେ। ଏହା ପୂର୍ବରୁ ରାଜ୍ୟରେ ୧୫,୮୦୫ ହେକ୍ଟର ଜମିରେ ଆଳୁଚାଷ କରାଯାଉଥିଲା। ମୋଟ ୨.୬୮ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହେଉଥିଲା। ଆଳୁ ମିଶନ କାର୍ଯ୍ୟକାରୀ ହେବା ପରଠାରୁ ଆଳୁଚାଷ ୨୫,୦୮୩ ହେକ୍ଟର ଜମିରେ ହେବାସହ ଉତ୍ପାଦନ ୩.୦୩ ଲକ୍ଷ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲାଗି ସରକାର ଆଳୁ ମିଶନରେ ରିହାତି ଓ ବଜାର ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତିବୋଲି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।