୫ ବାଘ ଶିକାରୀ ଗିରଫ

ନୂଆପଡ଼ା ଅଫିସ/ ଖଡ଼ିଆଳ, ୭।୬ (ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ବନଖଣ୍ଡ ଅଧୀନ ସୁନାବେଡ଼ା ଅଭୟାରଣ୍ୟ ପତାଦର୍ହା ଅଞ୍ଚଳରେ ଛତିଶଗଡ ବନ ବିଭାଗ ଓ ଖଡ଼ିଆଳ ବନବିଭାଗ ବାଘ ଶିକାର କରିବା ଘଟଣାରେ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆପଡା ଜିଲା ବୋଡ଼େନ ଥାନା ପାଟଧରା ଗ୍ରାମର ସଚିନ୍ଦ୍ର ମାଝି ଓ ବଡ଼ ମାଝି, ଖଡୁପାଣି ଗ୍ରାମର ବଦନ ମାଝି, ଚିକଲ ଚୁଆଁ ଗ୍ରାମର ଖଗେଶ୍ବର ମାଝି ଓ ଖଡ଼ିଆଳ ବ୍ଲକ ଭାଲୁଡୁଙ୍ଗରି ଗ୍ରାମର ଅଚ୍ୟୁତାନନ୍ଦ ମାଝି। ସେମାନଙ୍କଠାରୁ ବାଘ ଛାଲ, ନଖ, ଦାନ୍ତ, ବଜ୍ରକାପ୍ତାର କାତି, ଦେଶୀ ବନ୍ଧୁକ, ଲୁହାତାର ଫାଶ ଜବତ କରାଯାଇଛି। ଛତିଶଗଡ ସୀତା ନଦୀକୂଳ ଉଦନ୍ତୀ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ଏକ ଟ୍ରାକ କ୍ୟାମେରା ଲଗାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ସେହି ଟ୍ରାକ କ୍ୟାମେରାରେ ଦୁଇଟି ମହାବାଳ ବାଘର ଚିତ୍ର କଏଦ ହୋଇଥିଲା। କିଛି ଦିନ ପରେ ଗୋଟିଏ ବାଘ କ୍ୟାମେରାରେ ଦେଖା ନ ଯିବାରୁ ବିଭାଗୀୟ ଅଧିକାରୀମାନେ ଶିକାର କରାଯାଇଥିବା ନେଇ ସନ୍ଦେହ କରିଥିଲେ। ପରେ କୌଣସି ସୂତ୍ରରୁ ଖବର ପାଇ ଛତିଶଗଡ ବନ ବିଭାଗ ନୂଆପଡା ଜିଲା ବୋଡ଼େନ ଥାନା ଖଡୁପାଣି ଗାଁର ଜଣଙ୍କ ଘରେ ଚଢ଼ାଉ କରିଥିଲା। ଛତିଶଗଡର ଉଦନ୍ତୀ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଅନୁଜ ଜୈନଙ୍କ ନେତୃତ୍ୱରେ ୨୦ଜଣିଆ ଏକ ଟିମ୍‌ ଖଡ଼ିଆଳ ବନଖଣ୍ଡ ଅଞ୍ଚଳରେ ୩ ଦିନ ରହି ତଦନ୍ତ କରିଥିଲା। ପରେ ଛତିଶଗଡ ବନ ବିଭାଗ ୫ଜଣଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା। ସେମାନେ ବନ ବିଭାଗ ନିକଟରେ ସ୍ବୀକାର କରିଥିଲେ। ସୋମବାର ଶିକାରୀମାନଙ୍କଠାରୁ ଏକ ୬ ଇଞ୍ଚର ଲମ୍ବର ବାଘ ଛାଲ ସମେତ ଅନ୍ୟାନ୍ୟ ଶିକାର ସାମଗ୍ରୀ ଜବତ କରାଯାଇଥିବା ନେଇ ଥିବା ଡିଏଫ୍‌ଓ କାର୍ଯ୍ୟାଳୟରେ ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।