୨୨୨ ଛାତ୍ରୀଛାତ୍ରଙ୍କୁ ୫ ଶିକ୍ଷକ

ବଇଣ୍ଡା,୩।୯(ପରିକ୍ଷିତ ସାହୁ)ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଅନେକ ପୁରୁଣା ବିଦ୍ୟାଳୟରେ ବହୁ ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ କରାଯାଉନାହିଁ। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଶ୍ରେଣୀ ଗୃହ ଅଭାବ ଯୋଗୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଆଠମଲ୍ଲିକ ବ୍ଲକ ଟାପଢ଼ୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ଆଜକୁ ଦୁଇବର୍ଷ ହେବ ୩ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ପୂରଣ କରାଯାଉନାହିଁ। ଏ ନେଇ ଗୁରୁବାର ଅଞ୍ଚଳବାସୀ ଓ ଶିକ୍ଷା କମିଟି ପକ୍ଷରୁ ଅନୁଗୋଳ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି।
ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି, ୧୯୯୮ମସିହାରେ ଗ୍ରାମବାସୀଙ୍କ ସହାୟତାରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୨୨୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ହେଲେ ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ସମସ୍ୟା ଲାଗି ରହିଛି। ଛାତ୍ରୀଛାତ୍ରଙ୍କୁ ପାଠ ପଢାଇବା ପାଇଁ ୮ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ପ୍ରଧାନ ଶିକ୍ଷକ ସମେତ ୨ ଜଣ କଳା ଶିକ୍ଷକ ପଦବୀ ଖାଲି ପଡିଛି। ଆବଶ୍ୟକୀୟ ଶିକ୍ଷକ ନ ଥିବାରୁ ଛାତ୍ରୀଛାତ୍ର ମାନେ ପାଠ ପଢିଯିବାକୁ ଅମଙ୍ଗ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁନୀଲ ବେହେରା, ପ୍ରଶାନ୍ତ ସାହୁ, ମିନତୀ ଦେହୁରୀ, ସୁକାନ୍ତି ସେଠୀ, ଲକ୍ଷ୍ମଣ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ମହାଳିକ କହିଛନ୍ତି, ଶିକ୍ଷକ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ଆଠମଲ୍ଲିକ ବିଇଓଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଏ ନେଇ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଶୁଣ୍ଢୀ କହିଛନ୍ତି, ଶିକ୍ଷକ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଉକ୍ତ ବିଦ୍ୟାଳୟରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ।