୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି। ରୋବୋଟିକ୍‌ ଗୋଡ଼ ଲଗାଇ ଚାଇନାର ଏକ ୫ ମହଲା କୋଠାକୁ ୬୨ ମିଟର ଦୂର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୋଠା ଚାଲୁଥିବାରୁ ୧ ମିନିଟ୍‌ ୩୭ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୮୫ ବର୍ଷତଳେ ୧୯୩୫ରେ ନିର୍ମାଣ କରାଯାଇଥିବା ଏହି କୋଠାର ଓଜନ ୭୬୦୦ ଟନ୍‌ । କୋଠାକୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ଇଞ୍ଜିନିୟରମାନେ ବହୁ ଗବେଷଣା କରିବା ପରେ ରୋବୋଟିକ୍‌ ଗୋଡ଼ ଲଗାଇବା ନିଷ୍ପତ୍ତିି ନେଇଥିଲେ। ଏଠାରେ ବ୍ୟବସାୟିକ କୋଠା ନିର୍ମାଣ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ପୁରୁଣା କୋଠାକୁ ଅନ୍ୟ ସ୍ଥାନକୁ କିପରି ନିଆଯିବ ତାହା ଚିନ୍ତାର ବିଷୟ ଥିଲା। ସ୍ଥାନାନ୍ତର କରା ନ ଯାଇଥିଲେ ଏହାକୁ ଶେଷରେ ଭଙ୍ଗା ଯାଇଥାନ୍ତା। କୋଠାରେ ୧୯୮ ରୋବୋଟିକ୍‌ ଗୋଡ଼ ଲଗାଯାଇଥିଲା। ସୁରକ୍ଷିତ ସ୍ଥାନକୁ ଯିବା ଲାଗି ୧୮ ଦିନ ସମୟ ଲାଗିଥିଲା।

Share