ଜଳିଗଲା ୫ ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭଣ୍ଡାରିପୋଖରୀ,୨୪ା୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ଟି ଦୋକାନ ଗୃହ ଓ ସାମଗ୍ରୀ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି  ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ତେଜରାତି ଦୋକାନ, ନିରାକାର ଦାସଙ୍କ ଫଳ ଦୋକାନ, କୁନା ସାହୁଙ୍କ ବାଇକ୍‌ ଓ ସାଇକେଲ ପାର୍ଟସ ଓ ମରାମତି ଦୋକାନ, ପରେଶ ବେହେରାଙ୍କ ଜଳଖିଆ ଦୋକାନ, ସୁଦାମ ଦାସଙ୍କ ସାର ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ପରେଶଙ୍କ ଜଳଖିଆ ଦୋକାନରେ ଥିବା ଗ୍ୟାସ ଟାଙ୍କି ଅଗ୍ନିକାଣ୍ଡରେ ଫାଟି ଯାଇ ଘର ଛପରର ଏକ ସର୍କିଟ୍‌ ସିଟ୍‌କୁ ପ୍ରାୟ ୪୦ ମିଟର ଉଡ଼ାଇ ଏକ ନିମ୍ବ ଗଛରେ ଲଗାଇଛି। ଖବରପାଇ ଭଣ୍ଡାରିପୋଖରୀ ଦମକଳ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିଲେ ମଧ୍ୟ କେହି ଅଜଣା ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।