୫ ଡକାୟତ ଗିରଫ: ଟଙ୍କା, ସୁନା ଜବତ

ତେନ୍ତୁଳିଖୁଣ୍ଟି, ୧୮।୩(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଖାତିଗୁଡ଼ା ପୋଲିସ ଏକ ଡକାୟତି ମାମଲାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଖାତିଗୁଡ଼ା ଥାନା ଫଟାଗୁଡ଼ା ଗ୍ରାମର ଭବାନୀ ବିଷୋୟୀ(୨୭), ପରଜାବାରଙ୍ଗପଦର ଗ୍ରାମର ରିଙ୍କୁ ହରିଜନ(୨୦), ବୋରିଗୁମ୍ମା ବ୍ଲକ ଚରାଗାଁ ଗ୍ରାମର ବିଶ୍ୱନାଥ ହରିଜନ (୨୫), ନୂଆଁଗୁଡ଼ା ଗ୍ରାମର ଲୁକୁ ଭୂମିଆ(୨୭) ଓ ଜୟପୁର ରଣ୍ଡାପାଲି ଗ୍ରାମର ବାଲ୍ୟ ଖାତି। ସେମାନଙ୍କଠାରୁ ୧୯ ଗ୍ରାମ୍‌ ସୁନାଗହଣା ଓ ୧୭ ହଜାର ଟଙ୍କା ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ପଡ଼ାପଲ୍ଲାର ଉତକୁଡି ହରିଜନ (୨୫) ଫେରାର ଅଛନ୍ତି। ଖାତିଗୁଡା ଥାନା ପରିସରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ନବରଙ୍ଗପୁର ଏସ୍‌ଡିପିଓ ଆଦିତ୍ୟ ସେନ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଅଧୀନ ଫଟାଗୁଡ଼ା ଗ୍ରାମର କେ. ରାମନା ମୂର୍ତ୍ତିଙ୍କ ଘରୁ ୨୦୨୨ ଅଗଷ୍ଟ ୭ ତାରିଖରେ ଡକାୟତି ହୋଇଥିଲା। ପ୍ରାୟ ୭ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ବାନ୍ଧି ଆଲମିରା ଚାବି ନେଇଯାଇଥିଲେ। ଆଲମିରାରେ ଥିବା ୧୫ ଭରି ସୁନା ଓ ନଗଦ ୨ ଲକ୍ଷ ଟଙ୍କା ନେଇ ଡକାୟତମାନେ ଚାଲିଯାଇଥିଲେ। ଘଟଣା ସମ୍ପର୍କରେ କାହାକୁ କିଛି କହିଲେ କିମ୍ବା ଥାନାରେ ଅଭିଯୋଗ କଲେ ହତ୍ୟା କରାଯିବ ବୋଲି ସେମାନେ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ସେମାନେ ଚୁପ୍‌ ରହିଥିଲେ। କିନ୍ତୁ ସାହସ ଜୁଟାଇ ଚଳିତ ମାସ ୧୧ ତାରିଖରେ ଖାତିଗୁଡ଼ା ଥାନାରେ ଏକ ଏତଲା ଦାୟର କରିଥିଲେ। ରାମନାଙ୍କ ଅଭିଯୋଗ ଆଧାରରେ ଥାନାଧିକାରୀ ଦୀପକ ଲେଙ୍କା ଏକ ମାମଲା ରୁଜୁ କରିଥିଲେ। କେସ୍‌ର ତଦନ୍ତ ଦାୟିତ୍ୱ ଖାତିଗୁଡ଼ା ଥାନା ଏଏସ୍‌ଆଇ ମହେଶ୍ୱର ଭୁରଭୁରଙ୍କୁ ଦିଆଯାଇଥିଲା। ଆବଶ୍ୟକସ୍ଥଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବା ସକାଶେ କୋ ର ଅନୁମତି ନିଆଯାଇପାରେ। ଅଭିଯୁକ୍ତମାନେ ପେସାଦାର ଡକାୟତ। କାକିରିଗୁମ୍ମା, ବୋରିଗୁମ୍ମା, ଜୟପୁର ସଦର ଓ କୋଟପାଡ଼ ଥାନାରେ ସେମାନଙ୍କ ନାମରେ କେସ୍‌ ରହିଛି ବୋଲି ଏସ୍‌ଡିପିଓ କହିଛନ୍ତି।