କୁକୁଡ଼ା ଫାର୍ମ ଲାଗି ତୁମୁଳକାଣ୍ଡ: ରାତିସାରା ୫ ପୋଲିସ କର୍ମଚାରୀ ଅଟକ

ଗଁଦିଆ,୧୧।୧୦(ଡି.ଏନ୍‌.ଏ.): କୁକୁଡ଼ା ଫାର୍ମକୁ ନେଇ ତୁମୁଳକାଣ୍ଡ । ରାତିତମାମ ୫ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ପୋଲିସ ସମସ୍ୟା ଶୁଣୁ ନ ଥିବା ଅଭିଯୋଗ ଆଣି ରବିବାର ପାଟ୍ରୋଲିଂ କରୁଥିବା ଟିମ୍‌କୁ ରାତି ସାରା ଅଟକ ରଖାଯାଇଥିଲା। ସୋମବାର ସେମାନଙ୍କୁ ନେବା ପାଇଁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳରେ ।
ସୂଚନାଅନୁଯାୟୀ, କୋକେଇଦା ଗାଁରେ ଏକ କୁକୁଡ଼ା ଫାର୍ମ ତିଆରିକୁ ନେଇ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଫାର୍ମ କର୍ମଚାରୀଙ୍କୁ ଗାଁ ଭିତରକୁ ନ ଛାଡ଼ିବା ପାଇଁ ଗତକାଲି ରାତିରେ କିଛି ଗ୍ରାମବାସୀ ରାସ୍ତା ଖୋଳୁଥିଲେ। ତେବେ ପାଟ୍ରୋଲିଂ କରୁଥିବା ଥାନା ଏଏସଆଇ ସମେତ ୫ ଜଣ ପୋଲିସ କର୍ମଚାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାସ୍ତା କ’ଣ ପାଇଁ ଖୋଳୁଛ ବୋଲି ଗ୍ରାମବାସୀଙ୍କୁ ପଚରାଉଚରା କରିଥିଲେ। ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ଉତ୍ତ୍ୟେକ୍ତ ଲୋକେ ଗାଡ଼ି ସହ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ। ଗାଁ ଭିତରେ କୁକୁଡ଼ା ଫାର୍ମକୁ ବିରୋଧ କରି ବାରମାର ଗ୍ରାମବାସୀ ପୋଲିସ ଓ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ତେବେ ସେମାନଙ୍କ ଅଭିଯୋଗ କେହି ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି। ସକାଳେ ଏସଡିପିଓ ନେତୃତ୍ୱରେ ଥାନା ଆଇଆଇସି ଓ ପୋଲିସ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବୁଝାଶୁଝା କରୁଥିବା ଜଣାଯାଇଛି।