ସଂକ୍ରମଣ ରୋକିବାକୁ ୫ ସୂତ୍ରୀ ଯୋଜନା

ନୂଆଦିଲ୍ଲୀ,୨୮।୩: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏହାର ମୁକାବିଲା ଲାଗି ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ପଶ୍ଚିମବଙ୍ଗ, କର୍ନାଟକ, ପଞ୍ଜାବ ଏବଂ ଦିଲ୍ଲୀ ସମେତ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଯୋଗଦେଇଥିଲେ। ସଂକ୍ରମଣ ରୋକିବାକୁ ବୈଠକରେ ୫ ସୂତ୍ରୀ ଯୋଜନା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ସେଗୁଡ଼ିକ ହେଲା କୋଭିଡ୍‌ ପରୀକ୍ଷା ବଢ଼ାଇବା, ଆଇସୋଲେଶନକୁ ଅଧିକ ପ୍ରଭାବୀ କରିବା, କଣ୍ଟାକ୍ଟ ଟ୍ରେସିଂକୁ ବ୍ୟାପକ କରିବା, ସ୍ବାସ୍ଥ୍ୟ କର୍ମଚାରୀମାନଙ୍କୁ ପୁନର୍ବାର ପ୍ରୋତ୍ସାହିତ କରିବା, ଜନସାଧାରଣଙ୍କ ମଧ୍ୟରେ କୋଭିଡ୍‌ ସତର୍କତା ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଟିକାକରଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା।
ଦେଶର ୪୬ ଜିଲାକୁ ସର୍ବାଧିକ ସଂକ୍ରମିତ ଜିଲା ଭାବେ ଚିହ୍ନଟ କରାଯିବା ସହ ସେଠାରେ କଣ୍ଟେନ୍‌ମେଣ୍ଟ ନିୟମ କଡ଼ାକଡ଼ି ପାଳନ କରିବାକୁ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ପରୀକ୍ଷା ବଢ଼ାଇବା ସହ ୭୦% ଆର୍‌ଟି ପିସିଆର୍‌ ଟେଷ୍ଟ ପାଇଁ ପରାମର୍ଶ ଦିଆଯାଇଛି। ପଜିଟିଭ୍‌ ମାମଲାଗୁଡ଼ିକର ଉପଯୁକ୍ତ ଆଇସୋଲେଶନ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ହାରାହାରି ୩୦ ଜଣଙ୍କୁ ଖୋଜି ବାହାର କରି ସେମାନଙ୍କ ପରୀକ୍ଷା କରାଇବା ଓ ପ୍ରଥମ ୭୨ ଘଣ୍ଟା ଅଲଗା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ମହାରାଷ୍ଟ୍ରରେ ସବୁ ସମାବେଶ ବନ୍ଦ
ମହାରାଷ୍ଟ୍ରରେ ସଂକ୍ରମଣର ଦ୍ୱିତୀୟ ଲହର ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସେଠାରେ ରାଜନୈତିକ ଓ ଧର୍ମୀୟ ସମାବେଶ ସାଙ୍ଗକୁ ସମସ୍ତ ପ୍ରକାର ଜନ ସମାଗମକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ରବିବାରଠାରୁ ରାତି ୮ରୁ ସକାଳ ୭ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ଏହି ସମୟରେ ରେଷ୍ଟୁରାଣ୍ଟ, ମଲ୍‌ ଓ ପାର୍କ ଆଦି ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ଡ୍ରାମା, ଥିଏଟର ଆଦି ବନ୍ଦ ରହିବା ସହିତ ଲୋକମାନଙ୍କୁ ବେଳାଭୂମି ଭ୍ରମଣ ଲାଗି ଅନୁମତି ମିଳିବ ନାହିଁ। ରାତି ୮ଟା ପରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଓ ସର୍ବସାଧାରଣ ସ୍ଥାନରେ ଛିପ ପକାଇଲେ ୧୦୦୦ ଟଙ୍କା ଜରିମାନ ଦେବାକୁ ହେବ। ଶନିବାର ମହାରାଷ୍ଟ୍ରରେ ୩୫,୭୨୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୬୬ ଜଣ ମୃତ୍ୟୁ ଘଟିଛି।

Share