ବିପଦ ସଙ୍କେତ ଉପରେ ୫ ସ୍ଥାନ

ଜଗତ୍‌ସିଂହପୁର ଅଫିସ,୩୧।୮: ଜଗତ୍‌ସିଂହପୁର ଜିଲାର ମହାନଦୀ, ଦେବୀ, ପାଇକା, ବିଲୁଆଖାଇ ନଦୀର ଜଳପତ୍ତନ ବୃଦ୍ଧି ପାଇଥିଲେ ସୁଦ୍ଧା କୌଣସି ସ୍ଥାନରେ ଘାଇ ସୃଷ୍ଟି ହୋଇନାହିଁ। ଯେଉଁ କାରଣରୁ ସେଭଳି ବିପଦ ନ ଥିବା କୁହାଯାଇଛି। କିନ୍ତୁ ବନ୍ୟା ଯୋଗୁ ଜିଲାର ବିଶେଷକରି କୁଜଙ୍ଗ ବ୍ଲକ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି। ଏହି ବ୍ଲକର ୯ଟି ପଞ୍ଚାୟତର ୨୪ଟି ଗାଁ ଜଳମଗ୍ନ ହେବା ସହ ୨୦,୨୩୮ ଲୋକ ପ୍ରଭାବିତ ହୋଇଛନ୍ତି। ୧୬୫ଜଣ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯାଉଛି। ସେହିପରି ତିର୍ତ୍ତୋଲ ବ୍ଲକର ୫ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୪୧୨ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୪ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ସହ ୧୨୩ କିଲୋଗ୍ରାମ ଚୂଡା ଓ ୪୨ କିଲୋଗ୍ରାମ ଗୁଡ଼ ବଣ୍ଟନ କରାଯାଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଜିଲାର ମହାନଦୀ, ଦେବୀ, ପାଇକା ଓ ବିଲୁଆଖାଇ ନଦୀର ୫ଟି ସ୍ଥାନରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିବା ଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କଟକସ୍ଥିତ ମହାନଦୀ ସାଉଥ ଡିଭିଜନ୍‌ ନଂ. ୧ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀର ତାରପୁରଠାରେ ବିପଦ ସଙ୍କେତ ୯.୮୦ ଥିବାବେଳେ ସେଠାରେ ୧୧.୦୭ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ତିର୍ତ୍ତୋଲଠାରେ ବିପଦ ସଙ୍କେତ ୪.୯୩୫ ମିଟର ଥିବାବେଳେ ବନ୍ୟାଜଳ ପ୍ରବାହ ୫.୨୯ ମିଟର ଥିଲା। ପାଇକା ନଦୀର ଶଙ୍ଖେଶ୍ୱରଠାରେ ଗେଜ୍‌ ଲେବୁଲ୍‌ ୨୨.୭୫ ଫୁଟ୍‌ ଥିବାବେଳେ ସେଠାରେ ୨୬.୭୦ ଫୁଟର ଜଳ ପ୍ରବାହିତ ହୋଇଥିଲା। ଦେବୀ ନଦୀର ଦଳେଇ ଘାଇ ଓ ମାଛଗାଁଠାରେ ବିପଦସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛ। ଦଳେଇଘାଇଠାରେ ବିପଦ ସଙ୍କେତ ୫୫ ଫୁଟ ଥିବାବେଳେ ସେଠାରେ ୫୭.୧୦ ଫୁଟ, ମାଛଗାଁଠାରେ ବିପଦ ସଙ୍କେତ ୧୧ ଫୁଟ ଥିବାବେଳେ ୧୪.୪୦ ଫୁଟରେ ଜଳ ପ୍ରବାହିତ ହେଉଛି। ଆଳିପିଙ୍ଗଳଠାରେ ବିପଦ ସଙ୍କେତ ୧୦.୮୫ ଥିବାବେଳେ ଜଳ ପ୍ରବାହ ୧୧.୧୬ ମିଟର ରହିଛି। ବିଲୁଆଖାଇ ନଦୀର ଶଙ୍ଖାରିସାହିଠାରେ ବିପଦ ସଙ୍କେତ ୧୭.୫୦ ମିଟର ଥିବାବେଳେ ସେଠାରେ ୧୬.୩୨ ମିଟର ବନ୍ୟା ଜଳ ପ୍ରବାହିତ ହେଉଛି। ଏହି ନଦୀର ବୀରବରପାଟଣାଠାରେ ବିପଦ ସଙ୍କେତ ୧୪.୪୦ ମିଟର ଥିବାବେଳେ ସେଠାରେ ୧୪.୮୫ ମିଟର ଜଳ ପ୍ରବାହିତ ହେଉଥିବା ସୂଚନା ଦିଆଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନଦୀ ବନ୍ଧଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲା ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ଆଲର୍ଟ ରହିବା ସହ ରାତ୍ରୀକାଳୀନ ପାଟ୍ରୋଲିଂ ଜୋରଦାର କରିବାକୁ କୁହାଯାଇଛି।