ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ୫୦ ଲକ୍ଷର ଜୀବନ ବୀମା

ପଣଜୀ, ୧୩।୯: ଏଣିକି ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇ ଦିଆଯିବ। ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଏନେଇ ରବିବାର ସୂଚନା ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣରେ ସ୍ବାସ୍ଥ୍ୟକର୍ମୀ ଆକ୍ରାନ୍ତଙ୍କ ସେବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ସେମାନଙ୍କର ଜୀବନ ପ୍ରତି ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ଯୋଦ୍ଧାଙ୍କ ଜୀବନ ବୀମା କରାଇବା ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ବାସ୍ଥ୍ୟକର୍ମୀଙ୍କ ବୀମା କରାଯିବ। ଏହି ବୀମା ଯୋଜନାରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମୀ ଏବଂ ଅନ୍ୟମାନେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରି ଜଣାଇଛନ୍ତି। କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲ କର୍ମଚାରୀ ମଧ୍ୟ ଏହି ବୀମା ଯୋଜନାରେ ସାମିଲ ହେବେ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share