Categories: ଜାତୀୟ

ସୁଧୀର ସୁରୀ ହତ୍ୟାକାଣ୍ଡର ତଦନ୍ତ କରିବ ୫ ଜଣିଆ ଏସ୍‌ଆଇଟି ଟିମ୍‌

ଅମୃତସର,୭।୧୧: ଅମୃତସରରେ ଶିବସେନା ନେତା ସୁଧୀର ସୁରୀଙ୍କ ହତ୍ୟା ଘଟଣାର ଯାଞ୍ଚ ପାଇଁ ପଞ୍ଜାବ ପୋଲିସର ଏକ ୫ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ଡେପୁଟି କମିଶନର ପୋଲିସ (ଡିଟେକ୍ଟିଭ) ଜଗ୍‌ଜିତ୍‌ ସିଂ ୱାଲିଆଙ୍କ ନେତୃତ୍ୱରେ ଏହି ଟିମ୍‌ ପରିଚାଳିତ ହେବ। ଅନ୍ୟ ସଦସ୍ୟମାନେ ହେଲେ ଅତିରିକ୍ତ ଡେପୁଟି କମିଶନର ପ୍ରଭୋଜିତ୍‌ ସିଂ ଭିର୍କ, ଅଭିମନ୍ୟୁ ରାଣା, ସିଆଇଏ ଦାୟିତ୍ୱରେ ଥିବା ଅମୃତଦୀପ ସିଂ ଏବଂ ଆଣ୍ଟି ଗ୍ୟାଙ୍ଗ୍‌ଷ୍ଟର ଷ୍ଟାଫ୍‌ ୱିଙ୍ଗ୍‌ ଦାୟିତ୍ୱରେ ଥିବା ଶିବଦର୍ଶନ ସିଂ, ଏଡିଜିପି (ଆଭ୍ୟନ୍ତରୀଣ ସୁରକ୍ଷା) ଆର୍‌.ଏନ୍‌. ଧୋକେ ଯାଞ୍ଚ କମିଟିରେ ରହିଥିବା ପୋଲିସ କମିଶନର ଅରୁଣ ପାଲ ସିଂ ଏହି ସୂଚନା ଦେଇଛନ୍ତି।

ଏପରିକି ଏସ୍‌ଆଇଟିର ପ୍ରାଥମିକ ଅନୁସନ୍ଧାନ ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ)କୁ ମଧ୍ୟ ମାମଲା ହସ୍ତାନ୍ତର ହେବା ସମ୍ଭାବନା ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ରବିବାର ଶିବସେନା ନେତା ସୁଧୀର ସୁରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରବଳ ଜନସମାଗମ ଯୋଗୁ ସୁରୀଙ୍କ ଅନ୍ତିମ ଯାତ୍ରା ଶେଷକୃତ୍ୟ ସ୍ଥଳରେ ପହଞ୍ଚତ୍ବାକୁ ଦେଢ଼ଘଣ୍ଟା ସମୟ ଲାଗିଯାଇଥିଲା।

ସୂଚନାଯୋଗ୍ୟ, ଶୁକ୍ରବାର ଅମୃତସରର ଗୋପାଳ ମନ୍ଦିର ନିକଟରେ ସୁରୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ସନ୍ଦୀପ ସିଂ ଓରଫ୍‌ ସନ୍ନୀଙ୍କୁ ପୋଲିସ ଗିରଫ କରିଥିଲା। ପୋଲିସ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି। ଏହି ହତ୍ୟାକାଣ୍ଡ ପାଇଁ କାନାଡାର ଗ୍ୟାଙ୍ଗ୍‌ଷ୍ଟର ଲଖବୀର ସିଂ ଛଦ୍ମନାମ ଲଣ୍ଡା ହରିକା ଦାବି କରିଛନ୍ତି।

Share