୫ ମେଗା ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୬ା୧୧(ବ୍ୟୁରୋ):ମେଟାଲ ସେକ୍ଟରରେ ୯୨,୭୧୩ କୋଟି ଟଙ୍କାର ୫ ମେଗା ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୪ତମ ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି(ଏଚ୍‌ଏଲ୍‌ସିଏ) ବୈଠକରେ ଏହି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ୫ମେଗା ପ୍ରକଳ୍ପ ମଧ୍ୟରେ ଷ୍ଟେନ୍‌ଲେସ ଷ୍ଟିଲ୍‌, ସ୍ଲାଗ୍‌ ଓ ଫ୍ଲାଏ ଆଶ୍‌, ପେଲେଟ୍‌ସ ମ୍ୟାନୁଫ୍ୟାକ୍‌ଚରିଂ, ଆଇରନ୍‌ ଏବଂ ରୋଲ୍‌ଡ ଉତ୍ପାଦ ଆଦି ରହିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୩୧,୯୭୯ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ଏହି ପ୍ରକଳ୍ପଗୁଡ଼ିକୁ ଅକ୍ଟୋବର ୯ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଅନୁମୋଦନ କରିଥିଲେ।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତ ସରକାରୀ ସଂସ୍ଥାଙ୍କୁ ମିଳିତଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁମୋଦିତ ୫ ପ୍ରକଳ୍ପର ସମୀକ୍ଷା ସହ ପ୍ରକଳ୍ପ ଅଗ୍ରଗତି କାର୍ଯ୍ୟ ସମ୍ପର୍କରେ ନିୟମିତଭାବେ ତାଙ୍କୁ ଅବଗତ କରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟକୁ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ମିଳିଥିବା ସଫଳତାରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଶିଳ୍ପଭିତ୍ତିକ ଅର୍ଥନୀତି ଖୁବ୍‌ କମ୍‌ ସମୟ ମଧ୍ୟରେ ଟ୍ରାକ୍‌କୁ ଫେରିଛି। ୨୦୨୦ଫେବୃୟାରୀରୁ ଇତିମଧ୍ୟରେ ମୋଟ ୧.୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି।
ଏହାଦ୍ୱାରା ୫୩ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ଯୋଗୁ ରାଜ୍ୟରେ ସବୁ ବର୍ଗର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁଶନ(ଆଇପିଆର)-୨୦୧୫ ଅବଧି ମଧ୍ୟରେ ଏଚ୍‌ଏଲ୍‌ସିଏ ଦ୍ୱାରା ଅନୁମୋଦନ ଲାଭ କରିବାରେ ଏହା ସର୍ବବୃହତ୍‌ ପୁଞ୍ଜିନିବେଶ ପ୍ରସ୍ତାବ ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ ଅନୁମୋଦିତ ୫ ମେଗା ପ୍ରକଳ୍ପ ମଧ୍ୟରେ ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାଓ୍ବାରର କ୍ଷମତା ସମ୍ପ୍ରସାରଣ, ଜେଏସ୍‌ଏଲର କ୍ଷମତା ସମ୍ପ୍ରସାରଣ, ଏସାର ମିନ୍‌ମେଟ ଲିମିଟେଡ୍‌ର ବେନିଫିସିଏଶନ ଓ ପେଲେଟ ପ୍ରକଳ୍ପ, ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ର ବେନିଫିସିଏଶନ ଓ ପେଲେଟ ପ୍ରକଳ୍ପର କ୍ଷମତା ସମ୍ପ୍ରସାରଣ ଓ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପ ରହିଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ ଦ୍ୱାରା ୬,୦୧୮କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବାକୁ ଥିବାବେଳେ ଏଥିରେ ଅନୁଗୋଳରେ ଥିବା ଜିନ୍ଦଲର ଷ୍ଟିଲ ପ୍ଲାଣ୍ଟ କ୍ଷମତାକୁ ବାର୍ଷିକ ୬ ନିୟୁତ ଟନ୍‌ରୁ ୧୮.୬ ନିୟୁତ ଟନ୍‌କୁ ସମ୍ପ୍ରସାରଣ କରାଯିବ। ସେହିଭଳି ୭୬,୦୧୮ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୩୬ ନିୟୁତ ଟନ୍‌ର ସ୍ଲରି ପାଇପ୍‌ଲାଇନ୍‌ ଏବଂ ବାର୍ଷିକ ୧୨.୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ସିମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯିବ। ଜେଏସ୍‌ଏଲ୍‌ର କ୍ଷମତାକୁ ବାର୍ଷିକ ୧.୧ ନିୟୁତ ଟନ୍‌ରୁ ୩.୨ ନିୟୁତ ଟନ୍‌କୁ ସମ୍ପ୍ରସାରଣ କରାଯିବ। କଳିଙ୍ଗନଗର, ଯାଜପୁରରେ ଥିବା କୋଲ୍ଡ ରୋଲିଂ ମିଲ୍‌ କ୍ଷମତାକୁ ମଧ୍ୟ ବର୍ଦ୍ଧିତ କରାଯିବ। ଏସାର ମିନ୍‌ମେଟ ଲିମିଟେଡ୍‌ ଦ୍ୱାରା କେନ୍ଦୁଝର ଓ ପାରାଦୀପରେ ବାର୍ଷିକ ୧୪ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ବେନିଫିସିଏଶନ, ପେଲେଟ ପ୍ଲାଣ୍ଟ ଓ ସ୍ଲରି ପାଇପଲାଇନ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହେବ। କେନ୍ଦୁଝରରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲର ବେନିଫିସିଏଶନ ପ୍ଲାଣ୍ଟର ବାର୍ଷିକ କ୍ଷମତାକୁ ୧୦.୭୬ ନିୟୁତ ଟନ୍‌ରୁ ୧୬.୭୬ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ। ପାରାଦୀପରେ ଥିବା ପେଲେଟ ପ୍ରକଳ୍ପର ବାର୍ଷିକ କ୍ଷମତାକୁ ୬ ନିୟୁତ ଟନ୍‌ରୁ ୧୨ନିୟୁତ ଟନ୍‌କୁ ସମ୍ପ୍ରସାରଣ କରାଯିବ। ୨ ହଜାର କୋଟି ବିନିଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ୧୨୦୫ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରସ୍ଥିତ ଶ୍ୟାମ ମେଟାଲିକ୍ସର ବାର୍ଷିକ କ୍ଷମତା ୦.୭୭ ନିୟୁତ ଟନରୁ ୨.୩୭୩ ନିୟୁତ ଟନକୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।