ନକଲି ସୁନାଇଟା ଦେଇ ୫ ଲକ୍ଷ ଠକେଇ

ଚୌଦ୍ୱାର,୨୯।୧୦(ଡି.ଏନ୍‌.ଏ.):  ଜଣେ ସୁନା ବ୍ୟବସାୟୀଙ୍କୁ ନକଲି ସୁନାଇଟା ଦେଇ ୫ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଚୌଦ୍ୱାର ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନେ ହେଲେ ଚୌଦ୍ୱାର ତଳ ବଜାରର ବିଜୟ ବେହେରା ଓ ଚୌଦ୍ୱାର ଓଟିଏମ୍‌ କଲୋନୀରେ ରହୁଥିବା ବିହାର ସମସ୍ତିପୁର ଜିଲା ରୋସେରା ଥାନା ଏରୁଟା ଗ୍ରାମର ସଂଗ୍ରାମ ମହାତୋ। ସେମାନଙ୍କ ନିକଟରୁ ୧ଲକ୍ଷ ୪୫ହଜାର ଟଙ୍କା, ୯୦୦ ଗ୍ରାମ ଓଜନର ଏକ ନକଲି ସୁନାଇଟା ଓ ୨ଟି ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ଚୌଦ୍ୱାର ନବଗ୍ରହସାହିର ସୁଜିତ୍‌ କୁମାର ମହାରଣା ଜଣେ ସୁନା କାରିଗର। ବିଜୟ ତାଙ୍କ ପାଖକୁ ଆସି ସଂଗ୍ରାମ ମହାତୋ ନାମକ ଜଣେ ବ୍ୟକ୍ତି ଶସ୍ତାରେ ସୁନାଇଟା ବିକ୍ରି କରୁଥିବା କହିଥିଲେ। ଏପରି କି ସଂଗ୍ରାମଙ୍କ ପାଖରୁ ସୁନା କିଣିବା ପାଇଁ ପ୍ରବର୍ତ୍ତାଇଥିଲେ। ଏଥି ସହିତ ଏକ ସୁନାଇଟା ସୁଜିତ୍‌ଙ୍କୁ ଦେଇ ତାହା ଅସଲି କି ନକଲି ପରୀକ୍ଷା କରିବାକୁ କହିଥିଲେ। ଉକ୍ତ ସୁନାଇଟାକୁ ପରୀକ୍ଷା କରିବାରୁ ତାହା ଅସଲି ବୋଲି ଜଣାପଡ଼ିଥିଲା। ଗତ ୨୬ ତାରିଖରେ ସଂଗ୍ରାମ ସୁଜିତ୍‌ଙ୍କୁ ନେଇ ଗାନ୍ଧୀଛକ ଠାରେ ଛୋଟୁ ନାମକ ଜଣେ ଯୁବକ ଓ ଅନ୍ୟଜଣେ ଲୋକ ସହିତ ପରିଚୟ କରାଇଥିଲେ। ପରେ ସୁଜିତ୍‌ ଛୋଟୁକୁ ୫ଲକ୍ଷ ଟଙ୍କା ଦେଇ ସଂଗ୍ରାମ ମାର୍ଫତରେ ତାଙ୍କ ପାଖରୁ ୯୦୦ ଗ୍ରାମ ଓଜନର ଏକ ସୁନାଇଟା ନେଇଥିଲେ। ଏହାପରେ ଘରେ ଆସି ପରୀକ୍ଷା କରିବାରେ ତାହା ପିତ୍ତଳ ବୋଲି ଜଣାପଡ଼ିଥିଲା। ଏ ନେଇ ସୁଜିତ୍‌ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ. ୫୧୧/୨୦) ରୁଜୁ କରି ବିଜୟ ଓ ସଂଗ୍ରାମଙ୍କୁ ଗିରଫ କରିଥିଲା। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଛୋଟୁ ଓ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବିରଞ୍ଚି ନାରାୟଣ ପତି କହିଛନ୍ତି।