ପାଣିରେ ପଡ଼ିଲା ୫ଲକ୍ଷ

ବେତନଟୀ,୧୯ା୯(ଡିି.ଏନ.ଏ.):ପ୍ରଶାସନର ଭୁଲ ନିଷ୍ପତ୍ତି ଯୋଗୁ ମୟୂରଭଞ୍ଜ ଜିଲା ବେତନଟୀଠାରେ ନିର୍ମାଣ ହୋଇଥିତ୍ବା ଶବ ବ୍ୟବଚ୍ଛେଦ ଗୃହ କାମରେ ଲାଗି ପାରୁନି। ଏଥିଯୋଗୁ ସରକାରଙ୍କ ୫ ଲକ୍ଷ ଟଙ୍କା ପାଣିରେ ପଡ଼ିଥିବା ବେଳେ ପୁଣି ଏକ ଗୃହ ନିର୍ମାଣ ଚାଲିଛି।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ପ୍ରାୟ ୨ କି.ମି. ଦୂର ବେତନଟୀ -ମାଣତ୍ରୀ ରାସ୍ତାର ଶ୍ମଶାନ ନିକଟରେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ହୋଇଥିଲା। ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇ ଏହି ଗୃହକୁ ୨୦୧୨ ଅପ୍ରେଲ ମାସରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହସ୍ତାନ୍ତର କରାଯାଇଥିଲା। ମାତ୍ର ଏହି ଗୃହ ନିର୍ମାଣ ସରିବା ପରେ ତତ୍କାଳୀନ ପ୍ରଶାସନିକ ଅଧିକାରୀମାନେ ଏହି ସ୍ଥାନ ଡାକ୍ତଖାନାଠାରୁ ଦୂର,ନିର୍ଜନ ସ୍ଥାନ ତଥା ଶ୍ମଶାନ ନିକଟରେ ହୋଇଥିବାରୁ ସେଠାକୁ ଡାକ୍ତରମାନେ ଯିବେ ନାହିଁ ,ସେହି ଘରେ ଶବ ବ୍ୟବଚ୍ଛେଦ କରିପାରିବେ ନାହିଁ ବୋଲି କହିଥିଲେ। ତେବେ ପ୍ରଶାସନର ଭୁଲ ନିଷ୍ପତ୍ତି ପାଇଁ ନିର୍ମାଣରେ ଖର୍ଚ୍ଚ ହୋଇଥିବା ୫ଲକ୍ଷ ଟଙ୍କା ପାଣିରେ ପଡ଼ିଥିଲା। ଫଳରେ ଦୀର୍ଘ ୧୦ ବର୍ଷ ହେଲା ବେତନଟୀଠାରେ ଶବ ବ୍ୟବଚ୍ଛେଦ କାମ ଆରମ୍ଭ ହୋଇ ନ ପାରିବାରୁ ପୁନର୍ବାର ସ୍ଥାନୀୟ ଲୋକଙ୍କର ଦାବି ପରେ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନୂତନ ଭାବେ ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ ଚାଲିଛି।
ମୟୂରଭଞ୍ଜ ଜିଲାରେ ୨୬ଟି ବ୍ଲକ ଥିବାବେଳେ ବାରିପଦା ସମେତ ମୋଟ ୪ଟି ଉପଖଣ୍ଡ କାର୍ଯ୍ୟାଳୟ ରହିଛି। ଏହି ୪ଟି ଉପଖଣ୍ଡରେ ଶବ ବ୍ୟବଚ୍ଛେଦ ହେଉଥିଲା ବେଳେ ଜିଲାର ୫ମ ଶବ ବ୍ୟବଚ୍ଛେଦ ଗୃହ ୨୦୧୨ପୂର୍ବରୁ ବେତନଟୀଠାରେ ନିର୍ମାଣ ଆରମ୍ଭ ହୋଇଥିଲା। ବେତନଟୀଠାରେ ଶବ ବ୍ୟବଚ୍ଛେଦ କାର୍ଯ୍ୟ ହେଲେ ବେତନଟୀ, ବୈଶିଙ୍ଗା, ବଡ଼ସାହି ଓ ମୋରଡ଼ା ଥାନା ଅଞ୍ଚଳର ଲୋକେ ବାରିପଦା ନ ଯାଇ ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚତ୍ତ ହେବେ ବୋଲି ମତ ପ୍ରକାଶ ପାଇଛି।