Categories: ଜାତୀୟ

୫ ଆଇଆଇଆଇଟିକୁ ମିଳିବ ଜାତୀୟ ଅନୁଷ୍ଠାନ ମର୍ଯ୍ୟାଦା

ନୂଆଦିଲ୍ଲୀ, ୨୩।୯(ପି.ଟି.): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଆଇନ ସଂଶୋଧନ ବିଲ୍‌- ୨୦୨୦ ରାଜ୍ୟ ସଭାରେ ଗୃହୀତ ହୋଇଛି। ଆଇଆଇଆଇଟି ଆଇନ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍‌ ସଂଶୋଧନ ଆଣିବ। ଏଥିସହିତ ସୁରଟ, ଭୋପାଳ, ଭାଗଲପୁର, ଅଗରତାଲା ଓ ରାୟଚୁରଠାରେ ପ୍ରତିଷ୍ଠିତ ୫ଟି ଆଇଆଇଆଇଟିକୁ ଜାତୀୟ ଅନୁଷ୍ଠାନର ମର୍ଯ୍ୟାଦା ଦେବାକୁ ବିଲ୍‌ରେ ବ୍ୟବସ୍ଥା ରହିଛି। ଏହି ବିଲ୍‌ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ଦେଶର ବିକାଶରେ ବୈଷୟିକ ଜ୍ଞାନ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୈଷୟିକ ଜ୍ଞାନ କ୍ଷେତ୍ର ପ୍ରତି ସ୍ବତନ୍ତ୍ର ଆଲୋକପାତ କରାଯାଉଛି। ଆଇଆଇଆଇଟି ଅନୁଷ୍ଠାନଗୁଡ଼ିକୁ ଜାତୀୟ ଅନୁଷ୍ଠାନରେ ପରିଣତ କରାଯିବା ଦ୍ୱାରା ଛାତ୍ରୀଛାତ୍ରଙ୍କ ମନୋବଳ ବୃଦ୍ଧି ପାଇବାରେ ସହାୟକ ହେବ ବୋଲି କହିଛନ୍ତି। ବିଜେଡି ଏମ୍‌ପି ସସ୍ମିତ ପାତ୍ର ଆଇଆଇଆଇଟିଗୁଡ଼ିକରେ ଓଡ଼ିଶା ପାଇଁ କୋଟା ରଖିବା ଲାଗି ଦାବି କରିଛନ୍ତି। ୱାଇଏସ୍‌ଆର୍‌ କଂଗ୍ରେସର ବିଜୟ ସାୟରେଡ୍ଡୀ ବିଲ୍କୁ ସମର୍ଥନ କରିଛନ୍ତି। ଏହି ବିଲ୍‌ ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଜେଡିୟୁ ଏମ୍‌ପି ଆର୍‌.ସି.ପି. ସିଂ କହିଛନ୍ତି। ସେହିପରି ଟିଡିପିର କେ. ରବୀନ୍ଦ୍ରକୁମାର ଫି’ ଢାଞ୍ଚାକୁ ନେଇ ପ୍ରଶ୍ନ ଉଠାଇବା ସହ ଗରିବ ଛାତ୍ରୀଛାତ୍ରମାନଙ୍କ ଉପରେ ଏହା ଅଧିକ ବୋଝ ହେବ ବୋଲି କହିଛନ୍ତି।

Share