ଜଳିଗଲା ୫ ବଖରା: ୪ ଗୋରୁ, ଛେଳି ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ,୩୦ା୧୦: ଅଗ୍ନିକାଣ୍ଡରେ ୩ଟି ପରିବାରର ୫ ବଖରା ଘର ଜଳିଯାଇଛି। ଏଥିସହ ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣସାହି ଗ୍ରାମରେ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଛି।

ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ଗୋପବନ୍ଧୁ ଜେନାଙ୍କ ପରିବାର ଲୋକେ ଶୁକ୍ରବାର ଖାଇ ପିଇ ଶୋଇଥିଲେ। ବିଦ୍ୟୁତ୍‌ ଶଟ୍‌ସର୍କିଟ ଘଟି ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରଖର ଏତେ ଥିଲା ଯେ ଘରୁ କୌଣସି ଜିନିଷ କାଢ଼ି ନ ପାରି ପରିବାର ଲୋକେ ବାହାରକୁ ପଳେଇ ଆସିଥିଲେ। ଫଳରେ ନିଆଁ ଝାସରେ ଗୋପବନ୍ଧୁ ଜେନା ଓ ତାଙ୍କର ଦୁଇଭାଇଙ୍କର ୫ ବଖରା ଘର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ, ନିଆଁର ଆଁରେ ଚାରୋଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘରେ ଗଚ୍ଛିତ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡ଼ି ଛାରଖାର ହୋଇଯାଇଛି। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ୩ଟି ପରିବାର ସମ୍ପୂର୍ଣ୍ଣ ସର୍ବସ୍ବାନ୍ତ ହୋଇଯାଇଥିଲେ।