୫ଦିନ ପ୍ରବଳ ବର୍ଷା: ୩ ଦିନରେ ସାରା ରାଜ୍ୟକୁ ଛୁଇଁବ ମୌସୁମୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଓଡ଼ିଶାକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାକ୍‌-ମୌସୁମୀ ବର୍ଷା ଲାଗି ରହିଛି। ଆସନ୍ତା ୨ରୁ ୩ଦିନ ମଧ୍ୟରେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ରବିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ(୭ରୁ ୧୧ସେମି)ରୁ ଅତିପ୍ରବଳ(୧୧ରୁ ୨୦ସେମି) ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ସୋମବାର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କଟକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ଏବଂ ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବ। ବୁଧବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ଅନୁଗୋଳ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ଗୁରୁବାରଠାରୁ ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଏ ସମସ୍ତ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେପଟେ ରବିବାର ସମ୍ବଲପୁରରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବାବେଳେ ହୀରାକୁଦରେ ୩୪, ନୟାଗଡ଼ ୩୪, ବାରିପଦା ୨୩, ଝାରସୁଗୁଡ଼ା ୧୩.୪, ଅନୁଗୋଳ ୬, କଟକ ୨, ଭୁବନେଶ୍ୱର ୧ ମିମି ବର୍ଷା ରେକର୍ଡ କରାଯାଇଛି।