ବିନା ସୂଚନା ଫଳକରେ ୫ କୋଟି ଟଙ୍କାର ରାସ୍ତା କାମ

ନାଉଗାଁ,୧।୨(ସ୍ବ.ପ୍ର.): ନାଉଗାଁ ବ୍ଲ୍ଳକ ଛକଠାରୁ ବାଲିକୁଦାକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ସମ୍ପ୍ରସାରଣ ଓ ନିର୍ମାଣ କାମ ଚାଲୁ ରହିଛି। ଏହି ରାସ୍ତା କାମ ପାଇଁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯାଉଛି। କିନ୍ତୁ ନିର୍ମିତ ରାସ୍ତା ଠିକ୍‌ ଭାବେ କାମ କରାଯାଉ ନ ଥିବା ବେଳେ ରାସ୍ତାର ସ୍ଥାୟିତ୍ୱ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ରାସ୍ତା କାମ ଚାଲିଥିବା ବେଳେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ। ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ରାସ୍ତା ନିର୍ମାଣ ସମୟରେ ବିଭାଗର କୌଣସି ଯନ୍ତ୍ରୀ ରହୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।
ରାସ୍ତା କାମ ପୂର୍ବରୁ ରାସ୍ତାର ଦୈର୍ଘ ଓ ପ୍ରସ୍ଥ କେତେ ରହିବ, ରାସ୍ତାରେ କେତେଗୋଟି କଲଭର୍ଟ ନିର୍ମାଣ କରାଯିବ, ରାସ୍ତା ନିର୍ମାଣରେ ବ୍ୟବହୃତ ସାମଗ୍ରୀର ଭାଗ ମାପ କେତେ ରହିବ ସବୁ ତଥ୍ୟ ପ୍ରଦାନ କରାଯିବା ସହ କେତେ ଅର୍ଥ ବ୍ୟୟ ହେବ ସେ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ସୂଚନା ଫଳକରେ ତଥ୍ୟ ପ୍ରଦର୍ଶିତ କରାଯିବା କଥା। କିନ୍ତୁ କୌଣସି ସ୍ଥାନରେ ସୂଚନା ଫଳକ ନ ଥିବା ଦେଖାଯାଇଛି। ସେହିପରି ପୂର୍ବରୁ ଏହି ରାସ୍ତାରେ କରାଯାଇଥିବା ସମ୍ପ୍ରସାରଣକୁ ଖୋଳାଯାଇ ସେଥିରେ ଡଷ୍ଟ ଓ ମେଟାଲ ପକାଯାଇ ନୂତନ କଂକ୍ରିଟ କରାଯାଉଛି। ସବୁଠାରୁ ଗୁରୁତ୍ୱପୂନ୍ନ କଥା ରାସ୍ତାରେ ବ୍ୟବହୃତ ହେଉଥିବା ଡଷ୍ଟ, ଗୋଡି ଓ ମେଟାଲ ଆବଶ୍ୟକ ଭାଗ ଅନୁସାରେ ମିଶାଯିବ। ଉକ୍ତ ମିଶ୍ରଣକୁ ଅଣାଯାଇ ରାସ୍ତାରେ ପକାଯିବାର ନିୟମ ରହିଛି। କିନ୍ତୁ ରାସ୍ତା କାମ କରୁଥିବା ଠିକାଦାର ରାସ୍ତା ପାର୍ଶ୍ୱରେ ଡଷ୍ଟ, ଗୋଡି ଓ ମେଟାଲ ସହ ବାଲି ଭାଗ ଅଧିକ ଦେଇ ମିଶ୍ରଣ କରୁଥିବା ଅଭିଯୋଗ ହେଉଛି। ବାଲି ଭାଗ ଅଧିକ ଦିଆଯାଉ ଥିବାରୁ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାସ୍ତା ପାର୍ଶ୍ୱରେ ଥିବା ଜମିରୁ ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ କଲଭର୍ଟ ନିର୍ମାଣ କରାଯାଉଛି। ଉକ୍ତ କଲଭର୍ଟ ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବାଲିକୁଦା ଓ ନାଉଗଁା ବ୍ଲ୍ଳକର ମୁଖ୍ୟସଂଯୋଗକାରୀ ରାସ୍ତା ଅଟେ। ଏହି ରାସ୍ତା ଦେଇ ଯାତ୍ରୀବାହୀ, ମାଲବାହୀ ଯାନବାହାନ ଯିବା ଆସିବା କରିଥାଏ। ଏ ସମ୍ପର୍କରେ ଯନ୍ତ୍ରୀ ବଳାରାମ ସ୍ବାଇଁଙ୍କୁ ପଚାରିବାରେ ଠିକାଦାରଙ୍କୁ ସୂଚନା ଫଳକ ଲଗାଇବାକୁ କୁହାଯାଇଛି। ରାସ୍ତା ପାଇଁ ହେଉଥିବା କଂକ୍ରିଟରେ ବାଲି ଭାଗ ଅଧିକ ଦିଆଯାଉନାହିଁ ବୋଲି ସେ କହିଛନ୍ତି।