୫କୋଟି ଟଙ୍କାର ଗହଣା ଲୁଟିଛନ୍ତି ଡକାୟତ

ପରଜଙ୍ଗ,୭।୨(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଥାନା ଅଞ୍ଚଳରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତ ଶୁକ୍ରବାର ସଶସ୍ତ୍ର ଡକାୟତି ହୋଇଥିଲା। ୫ ଜଣ ଦୁର୍ବୃତ୍ତ ୨ଟି ପଲସରରେ ଆସି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୧ କୋଟି ଟଙ୍କାର ସୁନା ଗହଣା ଡକାୟତି କରିଥିବା ପ୍ରଥମେ ଅନୁମାନ କରାଯାଇଥିଲା। ତେବେ ଏ ନେଇ ବ୍ୟାଙ୍କ ପରିଚାଳକ ଅନୁରାଗ ପଟ୍ଟନାୟକ ଥାନାରେ ଏତଲା ଦେବା ପରେ କେତେ ପରିମାଣର ଅର୍ଥ ଓ ଗହଣା ଡକାୟତି କରାଯାଇଛି ତାହା ସ୍ପଷ୍ଟ ହୋଇଛି। ପରିଚାଳକ ଏତଲାରେ ଦର୍ଶାଇଛନ୍ତି, ୫ ଜଣ ଡକାୟତ ବ୍ୟାଙ୍କରେ ପଶି ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୫ କୋଟିରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗ୍ରାହକମାନେ ବ୍ୟାଙ୍କରେ ବନ୍ଧକ ରଖିଥିବା ସୁନା ଅଳଙ୍କାରରୁ ଡକାୟତମାନେ ୪ଟି ଟ୍ରଙ୍କରେ ଥିବା ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ପ୍ୟାକେଟ ନେଇଯାଇଛନ୍ତି। ଅନ୍ୟପଟେ ଘଟଣାକୁ ୪ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିପାରିନାହିଁ। ଏ ନେଇ ମହାବିରୋଡ ଥାନା ଏସ୍‌ଆଇ ପ୍ରଦୀପ ପାତ୍ର କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଠାବ କରାଯିବ।