Categories: ଜାତୀୟ

ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରି ଅର୍ଥରୁ ୫ କୋଟି ଟଙ୍କାର ଠକେଇ

ଅହମ୍ମଦାବାଦ,୨ା୧୨- ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରି ଅର୍ଥରୁ ୫ କୋଟି ଟଙ୍କାର ଠକେଇ ହୋଇଛି। ଏ ନେଇ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ। ୨୦୧୮ ନଭେମ୍ବରରୁ ଚଳିତ ବର୍ଷ ମାର୍ଚ୍ଚ ମଧ୍ୟରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଟିକେଟ୍‌ ବିକ୍ରିରୁ ଆୟ ହୋଇଥିବା ୫.୨୪ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇନାହିଁ। ଏକ ବେସରକାରୀ ବ୍ୟାଙ୍କରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନାମରେ ଦୁଇଟି ଆକାଉଣ୍ଟ ରହିଛି। ଏହି ବ୍ୟାଙ୍କ ନର୍ମଦା ଜିଲାର କେଭାଡିଆରୁ ଷ୍ଟାଚ୍ୟୁ ଅଫ୍‌ ୟୁନିଟିର କର୍ମକର୍ତ୍ତାଙ୍କଠାରୁ ପ୍ରତ୍ୟେକ ଦିନ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ଜମା କରିବା ଲାଗି ଏକ ସଂସ୍ଥାକୁ ଦାୟିତ୍ୱ ଦେଇଛି ।

ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ଟଙ୍କା ସଂଗ୍ରହକାରୀ ସଂସ୍ଥାର କିଛି କର୍ମଚାରୀ ୫,୨୪,୭୭,୩୭୫ ଟଙ୍କା ବ୍ୟାଙ୍କରେ ଜମା କରି ନାହାନ୍ତି। ଏ ନେଇ ସୋମବାର ରାତିରେ କେଭାଡିଆ ପୋଲିସ ନିକଟରେ ଫେରାଦ ହୋଇଥିଲେ ବେସରକାରୀ ବ୍ୟାଙ୍କର ମ୍ୟାନେଜର। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୨୦ (ଠକେଇ), ୪୦୬ ଓ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି ବୋଲି କହିଛନ୍ତି ଡିଏସ୍‌ପି ବାଣୀ ଦୁଧାଟ।

ଉଲ୍ଲେଖଥାଉ କି, ୨୦୧୮ ଅକ୍ଟୋବରରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଭାବେ ଜଣାଶୁଣା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ପ୍ରତିମା ଉଦ୍‌ଘାଟିତ ହୋଇଥିଲା। ସେବେଠାରୁ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

Share