୧୨ ବର୍ଷୀୟ ଛାତ୍ରଙ୍କ ୫ କଲେଜ ଡିଗ୍ରୀ

ଓ୍ବାଶିଂଟନ୍‌,୨୮।୫: ଆମେରିକାର ଫୁଲେର୍ଟନ କଲେଜର ସର୍ବକନିଷ୍ଠ ଗ୍ରାଜୁଏଟ୍‌ କ୍ଲୋଭିସ୍‌ ହଙ୍ଗ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରିଛନ୍ତି। ୨୦୨୦ରେ ଜଣେ ୧୩ ବର୍ଷୀୟ ଛାତ୍ର ସର୍ବକନିଷ୍ଠ ସ୍ନାତକ ହେବା ପରେ ତାଙ୍କଠାରୁ ପ୍ରେରଣା ପାଇ ହଙ୍ଗ୍‌ ଅନୁରୂପ କୀର୍ତ୍ତିମାନ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। କିନ୍ତୁ ସେ ପୂର୍ବ ରେକର୍ଡଧାରୀଙ୍କ ରେକର୍ଡ ଭଙ୍ଗ କରିବାକୁ କେବେ ଚାହିଁ ନ ଥିଲେ। ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ତାଙ୍କୁ ଉତ୍ସାହିତ କରିଥିଲା। ଏବେ କଳା ପାଠ୍ୟକ୍ରମର ଇତିହାସ, ସାମାଜିକ ବିଜ୍ଞାନ, ସାମାଜିକ ବ୍ୟବହାର ଓ ଆମତ୍ବିକାଶ, ଆଟର୍‌ସ ଓ ମାନବୀୟ ପରିପ୍ରକାଶ ଏବଂ ବିଜ୍ଞାନ ଓ ଗଣିତ ଆଦି ୫ଟି ଆସୋସିଏଟ୍‌ ଡିଗ୍ରୀ ମିଳିଥିବାବେଳେ ଆସନ୍ତା ବର୍ଷ ଆଉ ଗୋଟିଏ ଡିଗ୍ରୀ ପାଇବାକୁ ଆଶାବାଦୀ ଥିବା ହଙ୍ଗ୍‌ କହିଛନ୍ତି। ହଙ୍ଗ୍‌ଙ୍କ ମା’ ସଙ୍ଗ୍‌ ଚୋଇ କହିଛନ୍ତି, ପୁଅ ସବୁବେଳେ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଉଦ୍ୟମ ଚଳାଇଥିବା ଦେଖିବା ପରେ ୨୦୧୯ରେ ପାରମ୍ପରିକ ପବ୍ଲିକ୍‌ ସ୍କୁଲରେ ତାଙ୍କ ପାଠପଢ଼ା ବନ୍ଦ କରି ଘରକୁ ନେଇଯାଇଥିଲେ। ଫୁଲେର୍ଟନ କଲେଜର ସ୍ପେଶାଲ ଆଡ୍‌ମିଟ୍‌ ପ୍ରୋଗ୍ରାମ ଅଧୀନରେ ସେ ଶ୍ରେଣୀଗୃହରେ ପଢ଼ିବାର ସୁଯୋଗ ପାଇଥିଲେ। ତେବେ ଘରେ ମଧ୍ୟ ଅଧ୍ୟବସାୟ ଜାରି ରଖିଥିଲେ ବୋଲି ତାଙ୍କ ମା’ ପ୍ରକାଶ କରିଛନ୍ତି।

ସ୍ନାତକ ହେବାକୁ ୫୪ ବର୍ଷ ଲାଗିଲା

୭୧ ବର୍ଷୀୟ ଆର୍ଥର ରୋସ୍‌ ଶେଷରେ ୟୁନିଭର୍ସିଟି ଅଫ୍‌ ବ୍ରିଟିଶ କଲମ୍ବିଆ (ୟୁବିସି)ରୁ ଗୁରୁବାର କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ ୫୪ ବର୍ଷ ଲାଗିଛି। ଏକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପାଇବା ପାଇଁ ସର୍ବାଧିକ ସମୟ ଅତିବାହିତ କରିବାରେ ରୋସ୍‌ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୧୯୬୯ରେ ୟୁବିସିରେ ପାଠପଢ଼ା ଆରମ୍ଭ କରିଥିବା ରୋସ୍‌ କହିଛନ୍ତି, ମୁଁ ଜାଣିବାକୁ ଆଗ୍ରହୀ ଥିବାରୁ ପାଠ ପଢ଼ୁଥିଲି। ସେହି ଆଗ୍ରହ ମୋତେ ଡିଗ୍ରୀ ହାସଲ ପାଇଁ ଉତ୍ସାହିତ କରିଛି।

Share