ଭୟାନକ ରୂପ ନେଉଛି କଲେରା: କାଶୀପୁରରେ ୫ ଶିଶୁ ଆକ୍ରାନ୍ତ

ରାୟଗଡ଼ା ଅଫିସ/ଟିକିରି,୨୪ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ଛୋଟ ପିଲା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୩ରୁ ୧୨ ବର୍ଷ ବୟସର ୫ ଶିଶୁ କଲେରାରେ ଆକ୍ରାନ୍ତ ହୋଇ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ଡାକ୍ତରୀ ଟିମ୍‌କୁ ଚିନ୍ତାରେ ପକାଇଛି। ୫ ଆକ୍ରାନ୍ତ ହେଲେ ଟିକିରି ଏବଂ ଶଙ୍କରଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋବରଘାଟି ଗାଁର କବର ମାଝି, ପାଞ୍ଚାଳିର ନୟନା ମାଝି, ତାଣାବନ୍ଧ ଗାଁର ବବିଲି ମାଝି, ପଣସପଦର ଗ୍ରାମର ସୋନାଲି କୁମାରୀ ଏବଂ ଟିକିରି ସଦର ଗ୍ରାମର ବଗଲା ମାଝି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ କେବଳ ସ୍ବାସ୍ଥ୍ୟ ବିଭାଗ ଚାହିଁଲେ କଲେରା ନିୟନ୍ତ୍ରଣକୁ ଆସିବନି। ଏହାର ମୁକାବିଲା କରିବାକୁ ହେଲେ ଲୋକଙ୍କୁ ସଚେତନ ହେବାକୁ ପଡ଼ିବ ବୋଲି ଟିକିରି ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ଆର୍‌. ରାମାରାଓ କହିଛନ୍ତି। ଦୂଷିତ ପାନୀୟ ଜଳ ନ ପିଇ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣିକୁ ଫୁଟାଇ ପିଇବାକୁ ସେ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସଚେତନ କରିବାକୁ ଅନ୍ୟ ବିଭାଗ ମଧ୍ୟ ଆଗେଇ ଆସିବାକୁ ପଡ଼ିବ ବୋଲି ଡା. ରାମାରାଓ କହିଛନ୍ତି। ସୂଚନାଯୋଗ୍ୟ, ପ୍ରଶାସନର ତଥ୍ୟ ଅନୁଯାୟୀ, କାଶୀପୁର ବ୍ଲକରେ କଲେରାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।