ଜଣେ ଯୁବତୀଙ୍କ ସହ ୫ ଗିରଫ

କୋରାପୁଟ, ୨୨।୨(ସ୍ବ.ପ୍ର.): ଉତ୍ତରପ୍ରଦେଶର ଆମେଢ଼ା ଗ୍ରାମର ଜଣେ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ କରି ତାଙ୍କୁ ଖଲାସ ପାଇଁ ୨୫ ଲକ୍ଷ ଟଙ୍କା ମାଗିବା ଘଟଣାର ପର୍ଦ୍ଦାଫାଶ କରିଛି କୋରାପୁଟ ଟାଉନ ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ଜଣେ ଯୁବତୀଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମଙ୍ଗଳବାର ଏସ୍‌ପି ଅଭିନବ ସୋନକାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ସହରର ମନୋଜ ଖୋସ୍‌ଲା(୨୭), ପିଣ୍ଟୁ ଖୋରା(୨୪), ଅନୀଲ ଟାକିରି(୩୦), ଜୟପୁର ସହରର ହୀନା ପ୍ରବୀଣ (୧୮)ଙ୍କ ସହ ଛତିଶଗଡ଼ ଜଗଦଲପୁରରୁ ଜନ ମହମ୍ମଦ(୨୮)। ସେମାନଙ୍କଠାରୁ ପୋଲିସ ୬ଟି ମୋବାଇଲ ଓ ୨୩ ହଜାର ଟଙ୍କା ଜବତ କରିଛି। ଏବେ ମଧ୍ୟ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଅତିଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ଉତ୍ତରପ୍ରଦେଶର ଆମରୋହା ଅଞ୍ଚଳର ଡ୍ରାଇଭର ଅବଦୁଲ ମାନ କୋରାପୁଟ ଜେଲରେ ଥିବା ଭାଇ ଜାଭେଦଙ୍କ ଜାମିନ କରିବା ଉଦ୍ଦେଶ୍ୟରେ କୋରାପୁଟ ଆସିଥିଲେ। ଏହି ସମୟରେ ମନୋଜ ତାଙ୍କ ସହଯୋଗୀମାନଙ୍କ ସହିତ ମିଶି ୧୭ ତାରିଖ ଅପରାହ୍ନ ୪ ଟାରେ କୋରାପୁଟ- ଜୟପୁର ୨୬ ନମ୍ବର ଜାତୀୟ ରାଜପଥର ପୁରୁଣା ବନ ବିଭାଗ ଚେକ୍‌ ପୋଷ୍ଟ ନିକଟରୁ ଅବଦୁଲଙ୍କୁ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ କୋରାପୁଟ ନବନିର୍ମିତ ପର୍ଯ୍ୟଟନ କାର୍ଯ୍ୟାଳୟଠାରେ ଅବ୍‌ଦୁଲଙ୍କୁ ନେଇ ମାଡ଼ ମାରି ଭିଡିଓକଲ୍‌ କରି ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ମାଗିଥିଲେ। ଅବଦୁଲଙ୍କ ପାଖରେ ଥିବା ସମସ୍ତ ଟଙ୍କା ନେବା ସହ ଏଟିଏମ୍‌ କାର୍ଡ ଓ ପିନ୍‌ ନେଇଯାଇଥିଲେ। ଏନେଇ ଅବ୍‌ଦୁଲଙ୍କ ପରିବାର ଲୋକେ କୋରାପୁଟ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କୋରାପୁଟ ଟାଉନ ଥାନା ପୋଲିସ କେସ୍‌ ନଂ. ୪୫/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତକରି ୫ ଜଣଙ୍କୁ ଗିରଫ କରିଛି। ଏହି ଖବରଦାତା ସମ୍ମିଳନୀରେ କୋରାପୁଟ ଏସ୍‌ଡିପିଓ ମନୋଜ ପୂଜାରୀ ଓ କୋରାପୁଟ ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।