ଗୋରୁ ବ୍ୟବସାୟୀଙ୍କୁ ହତ୍ୟା କରି ୨୦ ଲକ୍ଷ ଲୁଟ୍‌ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ବାରିପଦା ଅଫିସ/ରାଇରଙ୍ଗପୁର,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡ଼ା ଗୋରୁ ହାଟରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଓ ୨୦ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ୧୧ଦିନ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ହତ୍ୟାରେ ବ୍ୟବହୃତ ଇନସାସ ରାଇଫଲ, ୨୬ରାଉଣ୍ଡ ଜୀବନ୍ତ ଗୁଳି, ଲୁଟ୍‌ ଟଙ୍କାରେ କିଣାଯାଇଥିବା ଟ୍ରାକ୍ଟର, ବାଇକ୍‌ ଓ ନଗଦ ୫୦ହଜାର ଟଙ୍କା ଜବତ ହୋଇଛି। ଏନେଇ ଜିଲା ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରୀ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଚାଇଁବସା ଅଞ୍ଚଳର। ତେବେ ଘଟଣାରେ ଅନ୍ୟ ଅଭିଯୁକ୍ତ ଜଡ଼ିତ ଥିବାରୁ ଗିରଫ ଅଭିଯୁକ୍ତମାନଙ୍କ ନାମ ଗୋପନ ରଖାଯାଇଛି।
ସୂଚନା ଅନୁଯାୟୀ, ଗତ ୨୫ତାରିଖରେ ପଶ୍ଚିମବଙ୍ଗ ରାଜ୍ୟ ଝାଡ଼ଗ୍ରାମ ଅଞ୍ଚଳର ବ୍ୟବସାୟୀମାନେ ହାଟବାଦଡ଼ା ହାଟକୁ ୨୦ଲକ୍ଷ ଟଙ୍କା ଧରି ଗୋରୁ କିଣିବାକୁ ଆସିଥିଲେ। ଏହି ସମୟରେ ୩ଟି ବାଇକ୍‌ରେ ଦୁର୍ବୃତ୍ତମାନେ ଆସି ଅତର୍କିତ ଗୁଳିଚାଳନା କରିଥିଲେ। ଶେଖ ଜାମସେଦ ଅଲ୍ଲୀ ନାମକ ଜଣେ ବ୍ୟବସାୟୀଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ନିକଟରେ ଥିବା ୨୦ଲକ୍ଷ ଟଙ୍କା ଲୁଟ୍‌ କରି ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବରପାଇ ପୂର୍ବାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି ଦ୍ୟାନଦେଓ, ଅତିରିକ୍ତ ଏସ୍‌ପି ମନୋରଞ୍ଜନ ବିଶ୍ୱାଳ, ଏସ୍‌ଡିପିଓ ରତିକାନ୍ତ ଗିରି, ଥାନାଧିକାରୀ ନିରୋଜ କୁମାର ମଲ୍ଲିକ ପହଞ୍ଚି ଛାନଭିନ ଚଳାଇଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା(ନଂ.୯୨/୨୨) ରୁଜୁ ହୋଇଥିଲା ା
ଅନ୍ୟପକ୍ଷରେ ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ଜିଲାର ବିଭିନ୍ନ ହାଟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବା ନଜିର ରହିଛି। ଗୋ ଚାଲାଣକୁ ନେଇ ଯଶିପୁର ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଛେଳି ଗୁଦୁଡ଼ି ନିକଟସ୍ଥ ଟୋଲ୍‌ଗେଟଠାରେ ଗୋସୁରକ୍ଷା ବାହିନୀ କର୍ମକର୍ତ୍ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲାରୁ ମୟୂରଭଞ୍ଜ ସୀମାନ୍ତ ଦେଇ ପଡ଼ୋଶୀ ପଶ୍ଚିମବଙ୍ଗ ଓ ପରେ ବାଂଲାଦେଶକୁ ଗୋଚାଲାଣ କରାଯାଉଛି ା ଏହି ଚାଲାଣକୁ ରୋକଯାଇ ପାରୁ ନ ଥିବାରୁ ପ୍ରତିଦିନ ବିଭିନ୍ନ ଅଘଟଣ ଘଟିବାରେ ଲାଗିଛି ା ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ଗୋଚାଲାଣକୁ ରୋକଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।