ପଗଡ଼ି ଭିତରେ ନେଇ ଯାଉଥିଲେ ୪୭ ଲକ୍ଷ ମୂଲ୍ୟର ସୁନା

ନୂଆଦିଲ୍ଲୀ, ୫।୧୦: ଦିଲ୍ଲୀ ବିମାନ ବନ୍ଦରରେ ସୁନା ଚୋରା ଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଦୁବାଇରୁ ଏବଂ ଜଣେ ତାଜିକସ୍ତାନରୁ ଆସିଛନ୍ତି। ସେମାନଙ୍କ ନିକଟରୁ ମୋଟ୍‌ ୪୭ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଏହି ୩ ଜଣ ପୂର୍ବରୁ ମଧ୍ୟ ଭାରତକୁ ସୁନା ଚୋରାଚାଲାଣ କରି ସାରିଛନ୍ତି। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ ଯୁବକ ଶିଖ୍‌ ବେଶ ପରିଧାନ କରି ପଗଡ଼ି ଭିତରେ ସୁନା ଲୁଚାଇ ଆଣିଥିଲେ। କିନ୍ତୁ ତାଙ୍କ ଅଙ୍ଗଭଙ୍ଗୀ ସନ୍ଦେହଜନକ ହେବାରୁ କଷ୍ଟମ ବିଭାଗ ତାଙ୍କୁ ଅଟକାଇ ଚେକିଂ କରିଥିଲା। ପୂର୍ବରୁ ଏହି ଯୁବକଜଣଙ୍କ ମଧ୍ୟ ଭାରତକୁ ୬ ଲକ୍ଷ ଟଙ୍କାର ସୁନା ଚାଲାଣ କରିସାରିଥିବା ରାଜି ହୋଇଛନ୍ତି। କଷ୍ଟମ ବିଭାଗ ନଜରରୁ ବର୍ତ୍ତିବା ଲାଗି ସେ ଲମ୍ବା ଦାଢ଼ି ରଖି ଶିଖ୍‌ ବେଶ୍‌ ପରିଧାନ କରିଥିଲେ। ଫଳରେ ସହଜରେ କଷ୍ଟମ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଖସି ଯାଉଥିଲେ। କିନ୍ତୁ ଏଥର ତାଙ୍କ ଅଙ୍ଗଭଙ୍ଗୀ ସନ୍ଦେହଦୃଷ୍ଟିକୁ ଆସିଥିଲା। ସେହିଭଳି ଗିରଫ ମହିଳା ଜଣଙ୍କ ୧୩ ଲକ୍ଷ ଟଙ୍କାର ସୁନା ଆଣୁଥିଲେ। ଅନ୍ୟଜଣେ ଯୁବକ ମଧ୍ୟ ୧୬ ଲକ୍ଷ ଟଙ୍କାର ସୁନା ପକେଟ୍‌ରେ ଲୁଚାଇ ଆଣୁଥିବାବେଳେ ଧରାପଡ଼ିଥିଲେ।

Share