ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିଲା। ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରାଙ୍କ ସମେତ ସୁଭଦ୍ରା ହିତାଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଗଞ୍ଜାମ ଜିଲାରେ ଆଜି ୫ମ କିସ୍ତିରେ ୯ ଲକ୍ଷ ୨୬ ହଜାର ୬୪୧ ଜଣ ହିତାଧିକାରୀଙ୍କ ବ୍ୟାଙ୍କଖାତାକୁ ପ୍ରାୟ ୪୬୩ କୋଟି ୩୨ ଲକ୍ଷ ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି। ରାଖି ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଭଉଣୀମାନେ ଛତ୍ରପୁର ବିଧାୟକ, ଜିଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଫୁଲ ଓ ଚନ୍ଦନ ଦେଇ ରାଖି ବାନ୍ଧିଥିଲେ।
ଏହି ଅବସରରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଛତ୍ରପୁରର ବେବି ମହାରଣା ଓ ବୁଗୁଡ଼ାର କବିତା ମହାରଣାଙ୍କ ସହ ଆଲୋଚନା କରିଥିଲେ। ସୁଭଦ୍ରା ଯୋଜନାରୁ ସେମାନେ ପାଉଥିବା ସୁବିଧା, ଏହି ସହାୟତାର ପ୍ରଭାବ ଏବଂ ଏହା ମାଧ୍ୟମରେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ। ରାଖି ପୂର୍ଣ୍ଣିମାର ପବିତ୍ର ଅବସରରେ ଏହି ଅର୍ଥରାଶି ପାଇ ଜିଲାର ଲକ୍ଷାଧିକ ସୁଭଦ୍ରା ଭଉଣୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସୁଭଦ୍ରା ଯୋଜନାର ପ୍ରଥମ ୪ଟି କିସ୍ତିରେ ଗଞ୍ଜାମ ଜିଲାରେ ପାଖାପାଖି ୧୦ ଲକ୍ଷ ମହିଳା ଏହି ଯୋଜନାର ଲାଭ ପାଇ ଆସୁଛନ୍ତି ବୋଲି ସୂଚନା ମିଳିଛି।