Categories: ଜାତୀୟ

୪୫ ହଜାର କୋଟିର ପ୍ରତିରକ୍ଷା ସରଞ୍ଜାମ କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୬ା୯: ଧ୍ରୁବାସ୍ତ୍ର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ୧୨ଟି ଏସ୍‌-୩୦ ଏମ୍‌କେଆଇ ଯୁଦ୍ଧବିମାନ ସମେତ ବିଭିନ୍ନ ଅସ୍ତ୍ର ସିଷ୍ଟମ କ୍ରୟ ଲାଗି ୪୫ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ମୋଟ ୯ଟି କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହିସବୁ ସରଞ୍ଜାମ ଭାରତୀୟ ତଥା ସ୍ବଦେଶୀ ଡିଜାଇନରେ ବିକଶିତ ଓ ଉତ୍ପାଦନକାରୀ କମ୍ପାନୀଠାରୁ କିଣାଯିବ। ଏହା ଭାରତୀୟ ପ୍ରତିରକ୍ଷା ଶିଳ୍ପର ବିକାଶରେ ସହାୟକ ହେବା ସହ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୁରକ୍ଷା, ଗତିଶୀଳତା, ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ସହ ଯନ୍ତ୍ରୀକୃତ ବଳ ତିଷ୍ଠି ରହିବା ସାମର୍ଥ୍ୟ ବଢ଼ାଇବା ଲକ୍ଷ୍ୟରେ ଡିଏସି ହାଲୁକା ସଶସ୍ତ୍ର ବହୁବିଧ ଉଦ୍ଦେଶ୍ୟମୂଳକ ଯାନ (ଏଲ୍‌ଏଏମ୍‌ଭି) ଏବଂ ଇଣ୍ଟିଗ୍ରେଟେଡ୍‌ ସର୍ଭିଲାନ୍ସ ଆଣ୍ଡ୍‌ ଟାର୍ଗେଟିଂ ସିଷ୍ଟମ (ଇନ୍‌ସାଟ-ଏସ୍‌) କ୍ରୟକୁ ଅନୁମୋଦନ କରିଛି। କମାଣ ଏବଂ ରାଡାରକୁ ତୁରନ୍ତ ପରିବହନ କରି ନିୟୋଜିତ କରିବା ଲାଗି ହାଇମୋବିଲିଟି ଭେହିକଲ୍‌ ଗନ୍‌ ଟୋଇଙ୍ଗ ଭେହିକଲ୍‌ କିଣାଯିବ।

Share