କରୋନା ଟିକାକରଣ: ବ୍ରିଟେନ, ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୪ ।୨: ସାରା ଦେଶରେ ଜାନୁୟାରୀ ୧୬ରେ କରୋନା ଭାଇରସ ବିରୋଧରେ ଲଢିବାକୁ ଆରମ୍ଭ କରାଗଲା ଟିକାକରଣ କାର୍ଯ୍ୟକ୍ରମ । ଏବେ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ପାଖାପାଖି ୪୫ ପ୍ରତିଶତ ଲୋକଙ୍କୁ କୋଭିଡ-୧୯ ଟିକା ଦିଆଯାଇ ସାରିଲାଣି । ଏହାସହ ଭାରତ ଟିକାକରଣ ତାଲିକାରେ ସବୁଠାରୁ ଆଗରେ ରହିଛି । ସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ, ଦେଶରେ ୨ ଫେବୃୟାରୀ ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ବୁଧବାର ସାରା ଦେଶରେ ପ୍ରାୟ ୨,୪୮,୬୬୨ ଜଣଙ୍କୁ ଟିକା ଦିଆଯାଇଛି । ଏହା ପଞ୍ଜିକରଣ କରାଇଥିବା ଲୋକଙ୍କ ମଧ୍ୟରୁ ୪୭ ପ୍ରତିଶତ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଆମେରିକାରେ ୪୦ ଲକ୍ଷ ଲୋକଙ୍କୁ ଟିକା ଲଗାଇବାକୁ ୨୦ ଦିନ ସମୟ ଲାଗିଥିବା ବେଳେ ବ୍ରିଟେନ ଓ ଇସ୍ରାଏଲରେ ଏହି ଲକ୍ଷ୍ୟ ହାସଲ କରିବାକୁ ୩୯ ଦିନ ସମୟ ଲାଗିଥିଲା । ଆମ ଦେଶରେ ମଧ୍ୟପ୍ରଦେଶରେ ୨ ଫେବୃୟାରୀ ପର୍ଯ୍ୟନ୍ତ ସବୁଠାରୁ ଅଧି ୬୯.୪ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ରାଜସ୍ଥାନରେ ଏହି ସଂଖ୍ୟା ଥିଲା ୬୪.୭ ପ୍ରତିଶତ । ଅନ୍ୟପଟେ ମହାରାଷ୍ଟ୍ରରେ ଟିକା ନେବାକୁ ୯,୩୬,୮୫୭ଜଣ ପଞ୍ଜିକୃତ କରିଥିବା ବେଳେ ରାଜ୍ୟରେ କେବଳ ୩୪ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଏପର୍ଯ୍ୟନ୍ତ ଟିକା ଦିଆଯାଇଛି ।

Share