୪୪୯ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ତୃତୀୟ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷଣର ସ୍ତର ନିର୍ଦ୍ଧାରଣ ନିମନ୍ତେ ଆସନ୍ତା ୨୩ ତାରିଖଠାରୁ ସର୍ବେକ୍ଷଣ ଆରମ୍ଭ ହେବ। ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଏବଂ ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ଏହି ସର୍ବେକ୍ଷଣ କରାଯିବ। ଏହି ସର୍ବେକ୍ଷଣର ମୂଳ ଲକ୍ଷ୍ୟ ହେଉଛି ଦେଶରେ ଶିକ୍ଷାଦାନ ନିମନ୍ତେ ବ୍ୟବହୃତ ହେଉଥିବା ବିଭିନ୍ନ ଭାଷାରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ଭାଷାଜ୍ଞାନ ଓ ସଂଖ୍ୟା ଜ୍ଞାନ କ୍ଷେତ୍ରରେ ଶିକ୍ଷଣସ୍ତର ଜାଣିବା ଓ ସେମାନଙ୍କ ଶିକ୍ଷଣର ଅଗ୍ରଗତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା। ଏହି ସର୍ବେକ୍ଷଣରେ ଓଡ଼ିଶାର ୩୦ଟି ଜିଲାରେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ମୋଟ ୬୦ ଜଣ ସଂଯୋଜକ ଓ ୩୪୫ ଜଣ କ୍ଷେତ୍ର ଅନୁଧ୍ୟାନକାରୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦିଆଯାଇଛି। ସର୍ବେକ୍ଷଣରେ ସରକାରୀ, ବେସରକାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ, ଊର୍ଦ୍ଦୁ, ହିନ୍ଦୀ ଓ ଇଂଲିଶ ଭାଷାରେ ପଢ଼ୁଥିବା ତୃତୀୟ ଶ୍ରେଣୀର ସମସ୍ତ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଓଡ଼ିଶାରୁ ୪୪୯ଟି ବିଦ୍ୟାଳୟ ସର୍ବେକ୍ଷଣରେ ସାମିଲ ହୋଇଛି। ରାଜ୍ୟରେ ୨୪ ତାରିଖରେ ପୌର ନିର୍ବାଚନ ଓ ୨୫ରେ ସମସ୍ତ ଊର୍ଦ୍ଦୁ ବିଦ୍ୟାଳୟ ବନ୍ଦ ରହୁଥିବାରୁ ୨୩ରୁ ୨୫, ୨୬ରୁ ୨୮ ଏବଂ ଏପ୍ରିଲ ୪ରୁ ୬ ତାରିଖ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ସର୍ବେକ୍ଷଣ ଶେଷ କରାଯିବାକୁ ନିର୍ଦ୍ଧାରିତ ହୋଇଛି। ସର୍ବେକ୍ଷଣ ପରିଚାଳନା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଓଡ଼ିଶାରେ ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତର ଜାଣିବା ସହିତ ସେମାନଙ୍କ ଶିକ୍ଷଣର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାରେ ଏହି ସର୍ବେକ୍ଷଣ ସହାୟକ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।