Categories: ଜାତୀୟ

ଭୋଟ ଦେବେ ୪୪% ଅଭିଯୁକ୍ତ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ, ୧୩ା୭: ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ବିଧାୟକ ଓ ଏମ୍‌ପିଙ୍କ ମଧ୍ୟର ୪୪%ଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ମୋଟ ୧୦,୭୪,୩୬୪ ଭୋଟର ୪୪% ଅର୍ଥାତ ୪,୭୨,୪୭୭ ଭୋଟ ଅଭିଯୁକ୍ତ ଏମ୍‌ପି ଏବଂ ବିଧାୟକଙ୍କର ରହିଛି। ସେମାନେ ପୂର୍ବରୁ ନିଜ ନାମରେ ଆପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ୪,୮୦୯ ଏମ୍‌ପି ଓ ବିଧାୟକଙ୍କ ମଧ୍ୟରୁ ୪,୭୫୯ଙ୍କ ସତ୍ୟପାଠକୁ ଏଡିଆର୍‌ ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ ପକ୍ଷରୁ ବିଶ୍ଲେଷଣ କରାଯାଇଥିଲା। ସେଥିମଧ୍ୟରେ ଦେଶର ୭୬୮ ଏମ୍‌ପି ଏବଂ ୩,୯୯୧ ବିଧାୟକଙ୍କ ସତ୍ୟପାଠ ଅନ୍ତର୍ଭୂକ୍ତ ଥିଲା। ୫୪୨ ଏମ୍‌ପିଙ୍କ ମଧ୍ୟରୁ ୨୩୬ ଲୋକ ସଭା ସଦସ୍ୟ ଏବଂ ୨୨୬ରୁ ଜଣ ରାଜ୍ୟ ସଭା ଏମ୍‌ପି ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଥିବା ପୂର୍ବରୁ ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଦର୍ଶାଇଥିଲେ। ୧,୩୧୬ ଏମ୍‌ପି/ଏମ୍‌ଏଲ୍‌ଏଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମାତ୍ର ୧୦% ବୋଲି ଜଣାଯାଇଛି।

Share