ଚାକିରିରୁ ତଡ଼ା ଖାଇଲେ ବୀରମିତ୍ରପୁର ଥାନା ଅଧିକାରୀ

କଟକ ଅଫିସ,୧।୭: ଜଣେ ନାବାଳିକାଙ୍କୁ ଥାନା ଭିତରେ ରଖି ବଳାତ୍କାର ଏବଂ ପରେ ଗର୍ଭପାତ କରାଇଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ବୁଧବାର ଡିଜିପି ଅଭୟ ସୂଚନା ଦେଇଛନ୍ତି। ତାଙ୍କ ଘୃଣ୍ୟ କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡିଜିପି ଅଭୟ ପ୍ରକାଶ କରିବା ସହ ପୀଡ଼ିତା ନାବାଳିକାଙ୍କୁ କ୍ଷମା ମାଗିଛନ୍ତି।
ସୂଚନାଯୋଗ୍ୟ, ଜଣେ ନାବାଳିକାଙ୍କୁ ଥାନା ଅଧିକାରୀ ମାଝୀ ପ୍ରଥମେ ବଳାତ୍କାର କରିବା ପରେ ଗର୍ଭପାତ କରାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ରାଏବଗ ଥାନା ୬ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଘଟଣା ପରଠୁ ଥାନା ଅଧିକାରୀ ମାଝୀ ଫେରାର ଅଛନ୍ତି। ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ମଙ୍ଗଳବାର ଏହି ଘଟଣାର ତଦନ୍ତ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚକୁ ଡିଜିପି ଅଭୟ ନିର୍ଦ୍ଦେଶ ଦେଇଥିଲେ। ଜଣେ ମହିଳା ଡିଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ସୁନ୍ଦରଗଡ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହା ଭିତରେ ଥାନା ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି।